Odia News Portal

ଏସସିବିର ପୁନଃବିନ୍ୟାସ ପାଇଁ ବଡ ଘୋଷଣା, କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ

ଭୁବନେଶ୍ବର() ଏସସିବି ପୁନଃବିନ୍ୟାସ ଓ ଥଇଥାନ ନିମନ୍ତେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହାକୁ ଘୋଷଣା କରାଯାଇଛି ।
ତେବେ ଏହି ପ୍ୟାକେଜରେ ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଏବଂ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ଟଙ୍କା ୨ଟି କିସ୍ତି କରି ଦିଆଯିବ । ଆରମ୍ଭରୁ ଗୋଟିଏ କିସ୍ତି ମିଳିବ ଓ ପରେ ଜମି ଖାଲି କରିବା ପରେ ୨ୟ କିସ୍ତି ମିଳିବ ବୋଲି ଘୋଷଣା କରାଯାଇଛି । ଏହି ଦୁଇ କିସ୍ତିରେ ପ୍ରତି ପରିବାରକୁ ୫୦ ହଜାର ଲେଖାଏଁ କରି ୧ ଲକ୍ଷ ଟଙ୍କା ସହାୟତା ମିଳିବ ।

ସେହିପରି ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା । ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବ । ଅନ୍ୟପଟେ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ ଲକ୍ଷ ଲେଖାଏଁ ସହାୟତା ଦିଆଯିବ । ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକାଥରକେ ୨୦ ହଜାର ଟଙ୍କା ।
ସରକାରୀ କ୍ୱାର୍ଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁ ମଧ୍ୟ ମିଳିବ ସହାୟତା । ନୂଆ କ୍ୱାର୍ଟର୍ସ ମିଳିବା ଯାଏଁ ସରକାରୀ କର୍ମଚାରୀଙ୍କ ଘର ଘଡା ସରକାର ବହନ କରିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯିବ ।

ତେବେ ଏହି ସହାୟତା ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ଯାଏଁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର ଟଙ୍କାର ସହାୟତା ମିଳିବ । ୩ୟ ଶ୍ରେଣୀ କର୍ମଚାରୀଙ୍କୁ ୭ ହଜାର ୫୦୦ ଟଙ୍କା । ୨ୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଏବଂ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।