Odia News Portal

ଆଜି ପହିଲି ରଜ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜର ହୁଅ ବେଗେ ସଜବାଜ । ଆଜି ହେଉଛି ପହିଲି ରଜ । ଝିଅମାନେ ସଜବାଜ ତ ହୋଇଛନ୍ତି ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଓଡ଼ିଶାର ଏହି ଗଣପର୍ବ ରଜ । କରୋନା କଟକଣା ଲାଗି ଟିକେ ଫିକା ପଡ଼ିଛି ଏହି ପର୍ବ । ତେବେ ଗାଁ ଗହଳିରେ ଲୋକେ କଟକଣାକୁ ମାନି ପିଠାପଣା କରିବା ସହ ପାନ ଖାଇ ରଜ ମନାଉଛନ୍ତି ।

ପାରମ୍ପରିକ ରଜ ପର୍ବ ପାଇଁ ଗାଁରୁ ସହର, ଚାରିଅଡେ ଆଜି ଉତ୍ସବର ପରିବେଶ । ଘରେ ଘରେ ଏବେ ପୋଡ ପିଠା ଓ ରଜ ପାନର ଆସର । ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ନୂଆ ପୋଷାକରେ ଝିଅମାନେ ଗାଁ ଗାଁ ବୁଲିବା ସହିତ ରଜ ଦୋଳି ଖେଳ ଓ ଗୀତର ସ୍ବର ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ସଭିଁଏଁ ଘରେ ରହି ପିଠା ଖାଇ ରଜ ପାଳନ କରୁଛନ୍ତି।

ତିନିଦିନଧରି ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ରଜର ଆସର ଘରେ ଘରେ ଜମିଥାଏ। ରଜ ପର୍ବର ପ୍ରଥମ ଦିନ ପହିଲି ରଜ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ ଏହି ଦିନରେ ରଜ ପର୍ବ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜ ପର୍ବର ଆସର ରଜଦୋଳି ଓ ପୋଡ଼ପିଠାରେ ଅଧିକ ଜମିଥାଏ। ପୋଡ଼ପିଠା ଖିଆଯାଏ ଯେତିକି, ବଣ୍ଟାଯାଏ ତା’ଠୁ ଅଧିକ। ଧନୀ-ଗରିବ ଜାତିଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ ଏହି ପର୍ବ ପାଳିତ ହୋଇଥାଏ।