Odia News Portal

ରୋହିତଙ୍କୁ ଜବାବ ଦେଇ ଅଡ଼ୁଆରେ କଙ୍ଗନା

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ କଙ୍ଗନାଙ୍କୁ ଝଟକା | ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦରେ ରହୁଥିବା କଙ୍ଗନା ରଣାୱତ ଏବେ ଚାଷୀ ଆନ୍ଦୋଳନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କୃଷକଙ୍କ ସପକ୍ଷରେ ଆମେରିକାର ପପ୍ ଗାୟିକା ରିହାନାଙ୍କ ଟ୍ୱିଟ୍ ପରେ ଏବେ ଟ୍ୱିଟ୍‌ରରେ ଏକ ପ୍ରକାରର ଟ୍ୱିଟ୍ ୱାର ସୃଷ୍ଟି ହୋଇଛି । ତେବେ ଭାରତୀୟ କ୍ରିକେଟର ରୋହିତ ଶର୍ମା, ଚାଷୀଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନା ରଣାୱତ ବିବାଦୀୟ ଟ୍ୱିଟ୍‌ କରିବା ପରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ୱିଟର ।

କ୍ରିକେଟର ରୋହିତ ଶର୍ମାଙ୍କ ଟ୍ୱିଟ୍‌ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ କଙ୍ଗନା ‘ ସବ୍‌ କ୍ରିକେଟର୍ସ, ଧୋବୀ କା କୁତ୍ତା ନା ଘର୍‌ କା ନା ଘାଟ୍‌ କା’ ବୋଲି ଟ୍ୱିଟ୍ କରିଥିଲେ । ଏଭଳି ବିବାଦୀୟ ଟ୍ୱିଟ୍‌ ପରେ ରୋହିତ ଶର୍ମାଙ୍କ କିଛି ପ୍ରତିକ୍ରିୟା ଆସିବା ପୂର୍ବରୁ ଏହାକୁ ତୁରନ୍ତ ହଟାଇଦେଇଛି ଟ୍ୱିଟର‌ । କଙ୍ଗନାଙ୍କ ଟ୍ୱିଟ୍‌କୁ ଡିଲିଟ୍‌ କରିବା ସହିତ ଟ୍ୱିଟର୍‌ ଲେଖିଛି ଯେ, ‘ଏହି ପୋଷ୍ଟକୁ ହଟାଇ ଦିଆଯାଇଛି କାରଣ ଏହା ଟ୍ୱିଟ୍ର‌ ନିୟମ ଉଲ୍ଲଂଘନ କରୁଛି’ । କଙ୍ଗନା ସିଧାସଳଖ ରୋହିତ ଶର୍ମାଙ୍କ ଟ୍ୱିଟ୍‌ର ଜବାବ ଦେବାକୁ ଯାଇ ଏଭଳି ଅପଶବ୍ଦ ପ୍ରୟୋଗ ପରେ ସୋସିଆଲ ମିଡିଆରେ ଏକ ପ୍ରକାରର ବିବାଦ ଆରମ୍ଭ ହୋଇଯାଇଛି |