Odia News Portal

ଜାଣନ୍ତୁ ୨୦୨୨ରେ କେଉଁଠି ହେବ ଆଇପିଏଲ, ଏମିତି କହିଲେ ଜୟ ଶାହା

ନୂଆଦିଲ୍ଲୀ: ବିଶ୍ୱର ସବୁଠି ଧନୀ କ୍ରିକେଟ ଲିଗ୍ ହେଉଛି ଆଇପିଏଲ । ଖେଳ ଦେଖିବା ଲାଗି ସାରା ବିଶ୍ୱବାସୀ ଚାହିଁ ରହିଥାନ୍ତି । ତେବେ କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବିଦେଶରେ ଆୟୋଜନ ହେଉଛି ମ୍ୟାଚ୍ । ଯଦିଓ ଚଳିତ ବର୍ଷ ପ୍ରଥମେ ଭାରତରେ କିଛି ମ୍ୟାଚ ଖେଳାଯାଇଥିଲା କିନ୍ତୁ ଶେଷ ମ୍ୟାଚ ଗୁଡ଼ିକ ୟୁଏଇରେ ଖେଳାଯାଇଥିଲା । ୨୦୨୨ର ଆଇପିଏଲ୍ ସଂସ୍କରଣ ଭାରତରେ ହିଁ ଆୟୋଜନ ହେବ। ୨୦୨୧ରେ ଆଇପିଏଲ୍ ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସର ଉତ୍ସବ ପାଳନ ଉତ୍ସବରେ େଯାଗ ଦେଇଥିବା ଶାହା ଏହା କହିଛନ୍ତି। ୪ର୍ଥ ଥର ପାଇଁ ସିଏସ୍କେ ଆଇପିଏଲ୍ ଚମ୍ପିଆନ୍ ହୋଇଥିଲା। ତେବେ ଆଇପିଏଲ୍ ପରେ ସିଏସ୍କେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଭାରତୀୟ ଦଳର ମାର୍ଗଦର୍ଶନ ନିଯୁକ୍ତ ହୋଇଥିବାରୁ ଏହି ବିଜୟୋତ୍ସବ ପାଳନ ମାସେ ବିଳମ୍ବ ହୋଇ ଯାଇଥିଲା।

ଭାରତରେ କରୋନା ସଂକ୍ରମଣ ଯୋଗୁଁ ୨୦୨୦ର ସମ୍ପୂର୍ଣ୍ଣ ଆଇପିଏଲ୍ ଏବଂ ୨୦୨୧ ଆଇପିଏଲ୍ର ଦ୍ବିତୀୟାର୍ଦ୍ଧ ୟୁଏଇରେ ଖେଳା ଯାଇଥିଲା। ଉତ୍ସବରେ ଜୟ ଶାହା କହିଥିଲେ, ମୁଁ ଜାଣିଛି ଯେ ତୁମେମାନେ ଉତ୍ସୁକତାର ସହ ଅପେକ୍ଷା କରିଛ ଯେ ସିଏସ୍କେ ଦଳ ଚେନ୍ନଇର ଚେପକ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳୁ। ଏହି ମୁହୂର୍ତ୍ତ ଆଉ ବେଶିଦିନ ନାହିଁ। ଆଇପିଏଲ୍ର ୧୫ଶ ସଂସ୍କରଣ ଭାରତରେ ଖେଳାଯିବ। ଏହା ଅଧିକ ଆକର୍ଷଣୀୟ ହେବ; କାରଣ ଆଉ ୨ଟି ନୂଆ ଦଳ ଯୋଗ ଦେଉଛନ୍ତି। ଏହା ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। ଏବେ ଦେଖିବାକୁ ବାକିରହିଲା ଯେ କେଉଁ ଖେଳାଳି କେଉଁ ଦଳରେ ଯୋଗ ଦେଉଛନ୍ତି। କାରଣ ସମସ୍ତ ଦଳର ରୂପରେଖ ବଦଳିଯିବ। ୨୦୧୯ ଆଇପିଏଲ୍ ସଂସ୍କରଣ ପରଠାରୁ ସିଏସ୍କେ ଦଳ ଚେପକ୍ ଷ୍ଟାଡିୟମ୍ରେ ଖେଳିନାହିଁ। ୨୦୨୦ ଆଇପିଏଲ୍ର ପ୍ରଥମାର୍ଦ୍ଧ ଭାରତରେ ଖେଳା ଯାଇଥିଲା। ହେଲେ ଖେଳସୂଚୀ ଏପରି ହୋଇଥିଲା ଯେ କୌଣସି ଦଳ ନିଜ ଗ୍ରାଉଣ୍ଡରେ ଖେଳି ପାରିନଥିଲେ। ୨୦୨୨ ଆଇପିଏଲ୍ ପାଇଁ ପୁରୁଣା ଦଳ ସର୍ବାଧିକ ୪ ଜଣ ଖେଳାଳିଙ୍କୁ ନିଲାମ ପୂର୍ବରୁ ରଖିପାରିବେ। ନିଲାମ ପାଇଁ ଛଡ଼ା ଯାଇଥିବା ଖେଳାଳିଙ୍କ ମଧ୍ୟରୁ ୨ଟି ନୂଆ ଦଳ ୩ ଜଣ ଲେଖାଏଁ ଖେଳାଳି ନିଲାମ ପୂର୍ବରୁ ରଖିପାରିବେ।