Odia News Portal

ବିଏମ୍‌ସି ପାଇଁ ରାଜଧାନୀ ସାରା ଛତ୍ରାବଜାର ଅବସ୍ଥା

ଗନ୍ଧଉଛି ସହର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପଇସା ଆଦାୟ ନିଶା ଯୋଗୁଁ ରାଜଧାନୀ ଏବେ ଗନେ୍ଧଇଲାଣି । କେଉଁଠି ପଚା ମାଛ ଗନ୍ଧ ତ ଆଉ କେଉଁଠି ପରିବାଚୋପାର ଗନ୍ଧ । ଟିକସ ଆଦାୟ କରିବାକୁ ବିଏମ୍‌ସି ଯାହାକୁ ପାରୁଛି ଯେଉଁଠି ବେପାର ପାଇଁ ବସାଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ।ରାଜଧାନୀରେ ଏବେ ଚାରିଆଡେ ରାସ୍ତାକଡରେ ଖୋଲାଖୋଲି ମାଛ ଓ ମାଂସ ବେପାର ଚାଲିଛି । ଯିଏ ଯେଉଁଠି ପାରୁଛି ବସିଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମାଛ ବେପାରୀ ପହଞ୍ଚିବା ପୂର୍ବରୁ ବିଏମ୍‌ସିର ଟିକସ ଆଦାୟକାରୀମାନେ ପହଞ୍ଚି ଯାଉଛନ୍ତି ।

ବେପାର ହେଉ କି ନହେଉ ଆଗ ରସିଦ ଧରାଇ ପଇସା ନେଇ ପଳାଉଛନ୍ତି । ଏହାପରେ ଦୋକାନ ଆଗରେ ରସିଦ ଥୋଇ ଚାଲିଛି ଖୁଲମଖୁଲା ବେପାର । ଏଭଳି ଅବସ୍ଥା ଯୋଗୁଁ ସହର ସାରା ଏବେ ମାଛ ବଜାର ପାଲଟିଛି । ବେପାର ସାରି ମାଛବେପାରୀ ଯିବାପରେ ମାଛକାତି, ପୁଟା ଆଦି ପଡି ଦୁର୍ଗନ୍ଧ ସୃଷ୍ଟି ହେଉଛି ।ଅନୁରୂପ ଅବସ୍ଥା ମାଂସ କାରବାରର । ଦେଢ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ବିଏମ୍‌ସିର କଂସେଇଖାନା ଏକ ପ୍ରକାର କଳଙ୍କି ହେବାପରେ ସହର ସାରା ରାସ୍ତାକଡରେ ପଶୁବଦ୍ଧ ଚାଲିଛି ।

ଯେତେବେଳେ ସମାଲୋଚନା ହେଉଛି ସେତେବେଳେ ଧର୍ମକୁ ଆଖିଠାର ମାରିଲା ଭଳି ମାଂସ ଦୋକାନ ଆଗରେ ପରଦା ଟାଙ୍ଗୁଛନ୍ତି । ଆଠ ଦଶ ଦିନ ଗଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଦିନ ରାତି ରାସ୍ତାକଡରେ ପଶୁବଦ୍ଧ ଚାଲିଥିବାବେଳେ ବିଏମ୍‌ସି ଟିକସ ଆଦାୟ କରି ଖୁସ୍‌ । ହେଲେ ପରିତ୍ୟକ୍ତ ବର୍ଜ୍ୟ ପଡି ଯେଉଁ ପୂତ୍ତି ଗନ୍ଧମୟ ଅବସ୍ଥା ସୃଷ୍ଟି ହେଉଛି ସେଥିପ୍ରତି କାହାର ନିଘା ନାହିଁ ।ପରିବା ବଜାରରେ ବି ଅନୁରୂପ ଅବସ୍ଥା । ସହରସାରା ଏବେ ଏକ ପ୍ରକାର ଛତ୍ରାବଜାର ପାଟଲିଛି । ଯିଏ ଯେଉଁଠି ପାରିଲା ପରିବା ପସରା ଖୋଲିଲା । ପସରା ଖୋଲୁ ଖୋଲୁ ସେହି ୱାର୍ଡର ବିଏମ୍‌ସି ବାବୁମାନେ ଯାଇ ରସିଦ ଧରାଇ ଅର୍ଥ ନେଇ ଆସୁଛନ୍ତି ।

ବେପାରୀ ଯେହେତୁ ଟିକସ ଦେଉଛନ୍ତି ବେପାର ସାରି ବଳକା ଚୋପା ଫୋପାଡି ପଳାଉଛନ୍ତି । ସଫେଇ ବାଲା ଆସି ନେଲେ ଭଲ, ଯେଉଁଠି ବିଳମ୍ବରେ ଆସିଲେ କିମ୍ବା ଆଦୌ ନଆସିଲେ ସେଠାରେ ଦୁର୍ଗନ୍ଧ ସୃଷ୍ଟି ହେଉଛି ।ତେବେ ସହରରେ ଏବେ ସବୁଠାରୁ ବଡ ଗନ୍ଧମୟ ଅବସ୍ଥା ସୃଷ୍ଟି କରୁଛନ୍ତି ବିଏମ୍‌ସିର ଭେଣ୍ଡିଂ ଜୋନ୍‌ରେ ଥିବା ଖାଇବା ଦୋକାନଗୁଡିକ ।  ରାସ୍ତାକଡରେ ଭେଣ୍ଡିଂ ଜୋନ୍‌ । ଛିଡା ହେବାକୁ ସ୍ଥାନ ନାହିଁ । ଯିଏ ଯେଉଁଠି ଖାଇଲା ସେଇଠି ଅଇଁଠା ପତ୍ର, ଠୋଲା ଆଦି ପକାଇ ଆସିଲା । ଦୀର୍ଘଦିନ ହେଲା ବିଏମ୍‌ସି ଭେଣ୍ଡିଂଜୋନ୍‌ଗୁଡିକୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ ଯୋଜନା କରୁଥିଲେ ବି ତାହା କାର୍ଯ୍ୟକାରୀ ହେଉଁନାହିଁ । ତେଣୁ ରାଜଧାନୀର ଭେଣ୍ଡିଂ ଜୋନ୍‌ଗୁଡିକ ପୂର୍ତ୍ତିଗନ୍ଧମୟ ପରିବେଶ ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି । ତେଣୁ ତୁରନ୍ତ ସହରର ପୂତ୍ତିଗନ୍ଧମୟ ପରିବେଶ ପ୍ରତି ଦୃଷ୍ଟି ଦେବାକୁ ଏବେ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।