Odia News Portal

ଥାନାରେ ଥାର୍ଡ ଡିଗ୍ରୀ: ମାମଲା ରୁଜୁ କଲେ OHRC

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଏହିମାମଲାରେ ଆଜି ରାଜ୍ୟ ମାନବାଧିକାର କମିଶନ (OHRC) ରିପୋର୍ଟ ତଲବ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଆସନ୍ତା ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ମାଲକାନଗିରି ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି କମିଶନ ।

Torture of minor Boys

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ । ସେ କହିଛନ୍ତି ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । କୌଣସି ଆଇନ୍ ଉଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉପରେ ଥାର୍ଡ ଡିଗ୍ରୀ କରାଯାଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଆଇନ୍ ଅଧିକାରୀ ଆଜି ଚିତ୍ରକୋଣ୍ଡାରେ ପହଞ୍ଚି ନାବାଳକଙ୍କ ପରିବାର ଲୋକଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିଛନ୍ତି । ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

Chitrakonda Police Station

ସୂଚନାନୁଯାୟୀ, ଗତ ୧୨ ତାରିଖରେ ଘଟିଥିବା ଏକ ଚୋରି ଘଟଣାରେ ପୋଲିସ ୪ ନାବାଳକଙ୍କୁ ଘରୁ ଉଠାଇ ଆଣି ହେପାଜତକୁ ନେଇଥିଲା । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଘରୁ ଚୋରି ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ଜୁଭେନାଇ‌ଲ‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିବା ପରିବର୍ତ୍ତେ ଥାନାରେ ୩ ଦିନ ଧରି ରଖି ବିଦ୍ୟୁତ ସକ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଆଗରେ ନାବାଳକଙ୍କୁ ମାଡ଼ ମାରିଥିଲା ପୋଲିସ । ପୋଲିସର ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।