Odia News Portal

ଜାଣନ୍ତୁ ଶାମ୍ବ ଦଶମୀର ପୂଜା ବିଧି….

ଭୁବନେଶ୍ବର: ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । କୁମାର ପୂର୍ଣ୍ଣିମାରେ ଯେପରି ଚନ୍ଦ୍ର ପୂଜାର କରାଯାଏ ସେହିପରି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା କରାଯାଏ। ଏହି ପର୍ବ ବିଶେଷ ରୂପେ ଓଡିଶାର ପୂର୍ବ ଭାଗରେ ପାଳନ କରାଯାଇଥାଏ।

ପୌରାଣିକ କଥା ବସ୍ତୁ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପିଡୀତ ହୋଇଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ କୋଣାର୍କ ନିକଟରେ ଥିବା ସୂର୍ଯ୍ୟ ମନ୍ଦିରରେ ଗଭୀର ତପସ୍ୟା କରିବା ପରେ ଭଗବାନ ସୂର୍ଯ୍ୟ ଶାମ୍ବଙ୍କ ତପସ୍ୟାରେ ଖୁସି ହୋଇ ତାଙ୍କୁ ଏହି ରୋଗରୁ ମୁକ୍ତି ଦେଇଥିଲେ। ମାନ୍ୟତା ଅନୁସାରେ ଯେଉଁ ଦିନଠାରୁ ଶାମ୍ବଙ୍କର କୁଷ୍ଠ ରୋଗ ଠିକ ହୋଇଥିଲା ସେହିଦିନ ଠାରୁ ଶାମ୍ବ ଦଶମୀ ନାଁ ରେ ଏହି ଦିନଟି ପୂଜା ହୋଇଆସୁଛି। ଏହି ଦିନରେ ମା’ମାନେ ସନ୍ତାନଙ୍କ ଶୁଭ ମନାସି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି ।

ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କ ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟୋଦୟ ସମୟରେ ପ୍ରଥମ ଧୂପ। ଏହି ଦିନ ନାରୀମାନେ ପ୍ରାତଃ ସକାଳୁ ସ୍ନାନ ସାରି ଶୁଦ୍ଧପୂତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ଭୋଗ କରିଥାନ୍ତି ।ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ ।ତୃତୀୟ ଧୂପ ହେଉଛି ସୂର୍ଯ୍ୟ ଅସ୍ତ ସମୟ।ଏହି ଧୂପରେ ମଧ୍ୟ ଏଣ୍ଡୁରି , କାକରା, ମାଲପୁଆ, ଗଜା, ବିରି ପୁଳି ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।