Odia News Portal

ଦିଲ୍ଲୀରେ ଲକ୍‌ଡାଉନ୍‌ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକ୍‌ଡାଉନ୍‌ ଅବଧି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍‌ଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଏନେଇ ଘୋଷଣା କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ, ଏବେ ବି କରୋନାର ସଂକ୍ରମଣ ଜାରି ରହିଛି । ଲକ୍‌ଡାଉନ୍ ବୃଦ୍ଧି କରିବାକୁ ଜନସାଧାରଣ ମଧ୍ୟ ଚାହୁଁଥିଲେ । ତେଣୁ ଲକ୍‌ଡାଉନକୁ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ଏହାସହ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ହାର ୩୬-୩୭ ପ୍ରତିଶତ ଯାହା ଆଗରୁ କେବେ ହୋଇନଥିଲା । ଅନ୍ୟପଟେ ଅକ୍ସିଜେନ ଅଭାବକୁ ନେଇ ସେ କହିଥିଲେ କି ଦିଲ୍ଲୀ ପାଇଁ କେନ୍ଦ୍ରସରକାର ଅକ୍ସିଜେନ କୋଟାକୁ ୪୮୦ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୯୦ ମେଟ୍ରିକ ଟନ କରିଛନ୍ତି । ହେଲେ ଦିଲ୍ଲୀ ପାଇଁ ଏବେ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନର ଆବଶ୍ୟକତା ପଡୁଛି ।