Odia News Portal

ଅଭିଯୁକ୍ତ ଭାଇଙ୍କୁ ଧରାଇଲା ଭଉଣୀର ଓଢ଼ଣୀ

କରଞ୍ଜିଆ: ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ | ଘଟଣାର ପର୍ଦ୍ଦାଫାଶ କରିଛି ଯଶୀପୁର ଥାନା ପୋଲିସ । ଗତ ୧୫ ତାରିଖ ଦିନ ଯଶୀପୁର ରରୁଆଁ ରୋଡ଼ ଚୁଟିଆ ପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା ।ତେବେ ଝାଡ଼ଖଣ୍ଡରେ ହତ୍ୟା କରିବା ପରେ ମୃତଦେହକୁ ଅଭିଯୁକ୍ତ ଆଣି ଫିଙ୍ଗିଥିଲେ ୧୦ କିମି ଦୂର ଓଡ଼ିଶା ସୀମା ଭିତରେ । ମର୍ଡର କରିବାପରେ ଖସି ଯିବା ପାଇଁ ଅଭିଯୁକ୍ତଦ୍ୱୟ ସାଇକେଲରେ ମୃତଦେହକୁ ବୋହି ଆଣି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ । ହେଲେ ଶେଷରେ ଏକ ଓଢଣୀ ପୋଲିସ ନିକଟରେ ଅଭିଯୁକ୍ତଙ୍କୁ ପହଞ୍ଚାଇ ଦେଇଥିଲା । ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଭିଆଇଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିବା ପରେ ପୋଲିସ‌ ସେମାନଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ଗତ ୧୫ ତାରିଖରେ ଯଶୀପୁର ରରୁଆଁ ରାସ୍ତାର ଚୁଟିଆପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପଡିଥିବା ଖବର ମିଳିଥିଲା। ଏହାପରେ ପ୍ରଥମେ ରରୁଆଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହା ଓଡ଼ିଶା ସୀମା କି ଝାଡ଼ଖଣ୍ଡ ତାହା ଜଣା ନ ପଡିବାରୁ ଶବ ଦୁଇ ଦିନ ଧରି ସେହି ପରିତ୍ୟକ୍ତ କୂଅ ମଧ୍ୟରେ ପଡ଼ି ରହିଥିଲା ।ତେବେ ଦୁଇ ଦିନ ପରେ ସେଠାରେ ଉଭୟ ରାଜ୍ୟର ରାଜସ୍ୱ ଅଧିକାରୀ ପହଞ୍ଚି ସୀମା ଚିହ୍ନଟ କରିବା ପରେ ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରାଯାଇଥିଲା । ଶବଟି ଉଦ୍ଧାର ହେଲାପରେ ତାହା ଝାଡଖଣ୍ଡର ମଝିଗାଁ ଥାନା ପାଣ୍ଡୁବୁରୁ ଗାଁ ହାଉଘୁଟୁ ସାହିର ଜୟପାଲ ହେମ୍ବ୍ରମଙ୍କର ବୋଲି ଜଣାପଡିଥିଲା।

ଶବ ନିକଟରୁ ଉଦ୍ଧାର ହୋଇଥିବା ଏକ ଓଢଣୀକୁ ନେଇ ଅଧିକ ତଦନ୍ତ ଜାରି ରଖିଥିଲା ଯଶୀପୁର ପୋଲିସ। ତେବେ ସେଇ ଓଢଣୀଟି ଅଭିଯୁକ୍ତ ଦୁଇ ଭାଇ ଶରତ ହେମ୍ବ୍ରମ ଓ ଭୋଳାନାଥ ହେମ୍ବ୍ରମଙ୍କ ଭଉଣୀର ବୋଲି ସୂଚନା ମିଳିବା ପରେ ପୋଲିସ‌ ଗତକାଲି ଦୁଇଭାଇଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏହାପରେ ପୋଲିସ ସାମ୍ନାରେ ସବୁ ସତ ଓଗାଳିଥିଲେ ଅଭିଯୁକ୍ତ ଦୁଇ ଭାଇ |ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇ ମିଶି ନିଜ ବଡବାପାକୁ ଏକ ଓଢଣୀ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏବଂ ମୃତଦେହକୁ ଆଣି ଓଡ଼ିଶା ସୀମାନ୍ତରେ ଏକ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ । ଯଶୀପୁର ପୋଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।