Odia News Portal

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ।ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି। ଏକକାଳୀନ ୧୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ବି ଚାଲିଛି ଚଢାଉ। ପ୍ରଦୀପଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

ଟାଟାରେ ଚାକିରି ଦେବା ନାଁରେ ଭାବୀ ଜ୍ୱାଇଁଙ୍କ ସହ ମିଶି ଠକେଇ କରିଥିଲେ ପ୍ରଦୀପ। ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢ଼ାଉ ଜାରି ରହିଛି । ପ୍ରଦୀପଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦେଇଥିଲେ ଲୋକାୟୁକ୍ତ । ତଦନ୍ତ ବେଳେ ଜଣାପଡ଼ିଥିଲା ୨୪ ମେ ୨୦୦୯ରୁ ୩୦ ନଭେମ୍ବର ୨୦୨୦ ମଧ୍ୟରେ ପ୍ରଦୀପ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଏବେ ଏସପିଙ୍କ ନେତୃତ୍ୱରେ ୨ ଜଣ ଅତିରିକ୍ତ ଏସଏସପି, ୧୭ ଜଣ ଡିଏସପିଙ୍କ ନେଇ ପ୍ରଦୀପ ଓ ତାଙ୍କ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ ଚାଲିଛି ।