Odia News Portal

ଧର୍ମଶାଳାରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତର ସାନରାଏପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜନ୍ମିତ ଶିଶୁକନ୍ୟାକୁ ୧୨ହଜାର ଟଙ୍କାରେ ବିକି ଦେଇଛି ବାପା। ସୂଚନା ମୁତାବକ, ସାନରାଏପଡା ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ଝିଅ କାଂଚନ ଗତ ୨୭ ତାରିଖ ସକାଳ ୬ଟା ୪୫ରେ ଧର୍ମଶାଳା ଡାକ୍ତରଖାନାରେ ଏକ କନ୍ୟାକୁ ଜନ୍ମ ଦେଇଥିଲା।
୨୮ ତାରିଖ ଦିନ ସେମାନେ ଧର୍ମଶାଳା ମେଡିକାଲ ପରିସରରେ ଜନ୍ମିତ ଶିଶୁକନ୍ୟାକୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳର ଜଣେ ଲୋକକୁ ୧୨ହଜାର ଟଙ୍କାରେ ବିକିଦେଇଥିଲେ। ତେବେ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କିଛି ଜାଣିପାରିନଥିଲେ। କାଂଚନଙ୍କ ସ୍ବାମୀ ନଟ ବେହେରା ସେହି ସାନରାଏପଡା ଗ୍ରାମର କାଳନ୍ଦୀ ଦାସ ଓ ତାଙ୍କ ପୁଅ ଦୀପକ ଦାସଙ୍କ ମାଧ୍ୟମରେ ପିଲାଟିକୁ ମହାକାଳପଡା ଅଂଚଳର ଜଣେ ବ୍ୟକ୍ତିକୁ ୧୨ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡିଥିଲା।
ଅଭାବ ଅନଟନ ଓ ଦାରିଦ୍ର୍ୟ ପାଇଁ ଶିଶୁ କନ୍ୟାଟିକୁ ବିକ୍ରି କରିଦେଇଥିବା ପରିବାର ଲୋକେ ସ୍ୱୀକାର କରିଛନ୍ତି। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କରାଯିବା ସହ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।