Odia News Portal

ଆମେରିକାରେ ବାଇଡେନ୍ ଶାସନ

ଆମେରିକା: ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବା ପରେ ଜୋ ବିଡେନ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ବିଡେନଙ୍କୁ ଆମେରିକାର ସୁରକ୍ଷା ଓ ଏକତାର ଶପଥ ଗ୍ରହଣ କରାଇଥିଲେ । ଶପଥ ନେବା ପରେ ବାଇଡେନ ନିଜ ଅଭିଭାଷଣରେ କହିଛନ୍ତି, ଗଣତନ୍ତ୍ରର ବିଜୟ ହୋଇଛି । ପରିଶ୍ରମ କରି ଆମକୁ ଆଗକୁ ଯିବାକୁ ହେବ । କରୋନା କାଳରେ ଅନେକ ଲୋକ ଚାକିରି ହରାଇଛନ୍ତି । ଅନେକ ବିଷମ ପରିସ୍ଥିତିର ସାମନା କରିବାକୁ ପଡିଛି । କ୍ୟାପିଟାଲ ହିଲ ଆକ୍ରମଣ କଥା ଉଠାଇ, ଗଣତନ୍ତ୍ର ଉପରେ କିପରି ପ୍ରହାର ହୋଇଛି ଦେଶବାସୀଙ୍କ ସମ୍ବୋଧନ କରିବା ସମୟରେ ଏହା ଉପରେ ଗୁୁରୁତ୍ୱ ଦେଇଛନ୍ତି ବାଇଡେନ ।

ଆମେରିକା ବର୍ତ୍ତମାନ ଦୁଇଟି ସମସ୍ୟା ଦେଇ ଗତି କରୁଛି । ଗୋଟିଏ ହେଉଛି ବର୍ଣ୍ଣବୈଷମ୍ୟ ଏବଂ ଅନ୍ୟଟି ହେଉଛି ଦେଶ ଭିତରେ ହିଂସା । ତେବେ ଆମେରିକାବାସୀ ଏକାଠି ହୋଇ ଏହାକୁ ହରାଇବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ବାଇଡେନ । ଆମେରିକାରେ ସମସ୍ତଙ୍କ ଉନ୍ନତି ପାଇଁ ତାଙ୍କ ସରକାର କାମ କରିବ । ଏପରିକି ଯେଉଁମାନେ ଭୋଟ ଦେଇଛନ୍ତି ଏବଂ ଯେଉଁମାନେ ଭୋଟ ଦେଇନାହାନ୍ତି ସେ ସମସ୍ତଙ୍କ ପାଇଁ ବାଇଡେନ ସରକାର କାମ କରିବାକୁ ଦୃଢସଂକଳ୍ପବଦ୍ଧ ବୋଲି ନିଜ ଅଭିଭାଷଣରେ କହିଛନ୍ତି ବାଇଡେନ ।

ତେବେ ଜାତୀୟ ସଙ୍ଗିତ ଗାନ ସହ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ଲେଡି ଗାଗା ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଆମେରିକାର ଏହି ଐତିହାସିକ କାର୍ଯ୍ୟକ୍ରମରେ ୪ଜଣ ପୂର୍ବତନ ରାଷ୍ଟ୍ରପତି ଯୋଗ ଦେଇଥିଲେ । ବାରାକ ଓବାମା ଓ ମିଶେଲ ଓବାମା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୁରା ୱାଶିଂଟନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜୋ ବିଡେନଙ୍କୁ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ମିଶି ଆଗକୁ କାମ କରିବେ ବୋଲି ଆଶା କରିଛନ୍ତି ନରେନ୍ଦ୍ର ମୋଦି ।