Odia News Portal

କରୋନା ପାଇଁ କାଉଡିଆଙ୍କ ଯାତ୍ରାକୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଜୁଲାଇ-ଅଗଷ୍ଟରେ ହେବାକୁଥିବା କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଦାବି ଜୋର ଧରିଛି। ଉତ୍ତରାଖଣ୍ଡର ଇଣ୍ଡିଆନ ମେଡିକାଲ ଆସୋସିଏସନ ଶାଖା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ କାଉଡିଆ ଯାତ୍ରା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ପାଖେଇ ଆସିଲାଣି। ତୃତୀୟ ଲହର ଆଶଙ୍କା ନେଇ ଆଇଏମଏ ଏହି ଯାତ୍ରା ବାତିଲ କରିବାକୁ ଅପିଲ କରିଛନ୍ତି। ଆଇଏମଏ ରାଜ୍ୟ ସଚିବ ଡାକ୍ତର ଅଜୟ ଖନ୍ନା ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଆଇଏମଏ ନିଜ ଚିଠିରେ ଲେଖିଛି ଯେ ଦେଶକୁ ତୃତୀୟ ଲହର ପାଖେଇ ଆସିଲାଣି। କରୋନାର ପ୍ରଥମ ଲହର ପରେ କରୋନା ଗାଇଡଲାଇନ ପାଳନ କରାଯାଇନଥିଲା। ଯେଉଁଥିପାଇଁ ଦ୍ୱିତୀୟ ଲହର ଅଧିକ ମାରାତ୍ମକ ଓ ଘାତକ ପ୍ରମାଣିତ ହୋଇଥିଲା ଏବଂ ଅନେକ ଲୋକଙ୍କ ଜୀବନ ନେଇଥିଲା।

ପ୍ରାୟ ମାସେ ଯାଏଁ ଚାଲିବାକୁଥିବା କାଉଡିଆ ଯାତ୍ରା ଶ୍ରାବଣ ମାସରେ ଆରମ୍ଭ ହେବ। ଶ୍ରାବଣ ମାସ ଆରମ୍ଭରୁ ପ୍ରାୟ ୧୫ ଦିନ ଯାଏଁ କାଉଡିଆ ଯାତ୍ରା ହୋଇଥାଏ। ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀ ଓ ହିମାଚଳର ଲକ୍ଷ ଲକ୍ଷ କାଉଡିଆ ଗଙ୍ଗାର ପବିତ୍ର ଜଳ ନେବା ପାଇଁ ହରିଦ୍ୱାର ଯାଇଥାନ୍ତି। ଶ୍ରାବଣ ମାସରେ ଗଙ୍ଗା ଘାଟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଲୋକଙ୍କ ଭିଡ ହେଲେ କରୋନାର ତୃତୀୟ ଲହର ବିସ୍ତାର କରିବା ଆଶଙ୍କାରେ ଆଇଏମଏ ମୁଖ୍ୟମନ୍ତ୍ରୀଙ୍କୁ ଏହି ଯାତ୍ରା ଉପରେ ରୋକ ଲଗାଇବାକୁ ଅପିଲ କରିଛନ୍ତି।