ମୁମ୍ବାଇର ପାଇଧୋନି ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଖାଦ୍ୟରେ ବିଷକ୍ରିୟା ବା ଫୁଡ୍ ପଏଜନିଂ ଯୋଗୁଁ ଗୋଟିଏ ପରିବାରର ଚାରି ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ଝିଅ ଅଛନ୍ତି। ପୋଲିସର କହିବା ଅନୁଯାୟୀ, ମୃତକମାନେ ହେଲେ ଅବଦୁଲ୍ଲା ଡୋକାଡିଆ (୪୦), ତାଙ୍କ ସ୍ତ୍ରୀ ନସରିନ ଡୋକାଡିଆ (୩୫) ଏବଂ ସେମାନଙ୍କ ଝିଅ ଆୟେଶା (୧୬) ଏବଂ ଜୈନବ (୧୩) ବର୍ଷର ବୋଲି ଜଣା ପଡ଼ିଛି।
ମୃତ୍ୟୁ ପରେ, ପରିବାରର ଜଣେ ସଦସ୍ୟ ପୋଲିସକୁ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ, ପୂରା ପରିବାର ରାତ୍ରୀ ଭୋଜନରେ ବିରିଆନୀ ଖାଇଥିଲେ । ତା’ପରେ କିଛି ସମୟ ପରେ ତରଭୁଜ ଖାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ, ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା।
ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଜଣଙ୍କ ପରେ ଜଣେ, ଏମିତି ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ।ପୋଲିସ ପ୍ରତ୍ୟେକ ସମ୍ଭାବ୍ୟ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛି। ଖାଦ୍ୟରେ କୌଣସି ବିଷାକ୍ତ ପଦାର୍ଥ ଥିଲା ନା ମୃତ୍ୟୁ ଦୁଇଟି ଭିନ୍ନ ଖାଦ୍ୟ ମଧ୍ୟରେ ପ୍ରତିକ୍ରିୟା ଅର୍ଥାତ୍ ଫୁଡ୍ ପଏଜନିଂ ଯୋଗୁ ହୋଇଛି।
ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଦାବି କରୁଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବର୍ତ୍ତମାନ, ପାଇଧୋନି ପୋଲିସ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR)ର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପରିବାରର ଚାରି ଜଣ ସଦସ୍ୟ ତାଙ୍କର ଅନ୍ୟ ପାଞ୍ଚ ଜଣ ସମ୍ପର୍କୀୟଙ୍କ ସହ ରାତି ୧୦:୩୦ ରେ ରାତ୍ରୀ ଭୋଜନ କରିଥିଲେ।
ପରବର୍ତ୍ତୀ ସମୟରେ ସମ୍ପର୍କୀୟମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ। ତାପରେ ରାତି ୧:୦୦ ରୁ ୧:୩୦ ମଧ୍ୟରେ, ପରିବାରର ଚାରି ଜଣ ସଦସ୍ୟ ତରଭୁଜ ଖାଇଥିଲେ। ପରବର୍ତ୍ତୀ ସମୟରେ, ରବିବାର ସକାଳ ୫:୩୦ ରୁ ୬:୦୦ ମଧ୍ୟରେ, ସମସ୍ତ ଚାରି ଜଣଙ୍କର ବାନ୍ତି ଏବଂ ଝାଡ଼ା ହୋଇଥିଲା। ପରିବାର ସେମାନଙ୍କ ଫ୍ୟାମିଲି ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ, ଯାହା ପରେ ସେମାନଙ୍କୁ ଜେ.ଜେ.ହସ୍ପିଟାଲକୁ ପଠାଯାଇଥିଲା। ସକାଳ ୧୦:୧୫ ରେ, ହସ୍ପିଟାଲରେ ଥିବା ସମୟରେ, ସାନ ଝିଅର ମୃତ୍ୟୁ ହୋଇଥିଲା। ରବିବାର ରାତି ୧୦:୩୦ ରେ, ପରିବାରର ମୁଖ୍ୟ ଅବଦୁଲ୍ଲା ଡୋକାଡିଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
