ଭୁବନେଶ୍ବର ବିମାନବନ୍ଦରରେ ‘ଇବୋଲା’ ସତର୍କତା , ବିଦେଶ ଫେରନ୍ତାଙ୍କ ଉପରେ ନଜର, ଯାଞ୍ଚ ହେବ ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି
ପୁଣି ଏବେ ସାରା ବିଶ୍ବରେ ଏକ ନୂଆ ଇବୋଲା ଭାଇରସ୍ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ସାଜିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ଭାଇରସ୍କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏହି ଭାଇରସ୍ର ଆଫ୍ରିକାର କିଛି ଦେଶଗୁଡ଼ିକରେ ବ୍ୟାପିବାରେ ଲାଗିଛି । ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଏହି ରୋଗର କୌଣସି ଟୀକା ବର୍ତ୍ତମାନ ବଜାରରେ ଉପଲବ୍ଧ ନାହିଁ, ଫଳରେ ଆକ୍ରାନ୍ତଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ତେଣୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏନେଇ କେନ୍ଦ୍ର ସରକାର ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଇବୋଲା ସତର୍କତା ଜାରି କରାଯାଇଛି । ବିମାନ ଯୋଗେ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଛି ।ଭୁବନେଶ୍ବର ବିମାନବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏହା ସହିତ ଯାତ୍ରୀଙ୍କର ଗତ ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ୍ କରାଯାଉଛି । ବିଶେଷକରି ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ବ୍ୟାଂକକ୍ରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ଯଦି କୌଣସି ଯାତ୍ରୀଙ୍କ ନିକଟରେ ସନ୍ଦେହଜନକ ଭାବରେ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଅନୁସାରେ ପରୀକ୍ଷା କରାଯିବା ସହିତ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯିବ । “ଆମେ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛୁ ଓ କେନ୍ଦ୍ରର ଗାଇଡ ଲାଇନ ଆନୁସାରେ କାର୍ଯ୍ୟ କରାଯିବ,” ବୋଲି କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।ଇବୋଲା ଭାଇରସ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ବିଦେଶରୁ ଭାରତକୁ ପ୍ରବେଶ କରୁଥିବା ଲୋକଙ୍କ ସ୍କ୍ରିନିଂକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ବିମାନବନ୍ଦର ଓ ବନ୍ଦରକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନରୁ ଆସୁଥିବା ଯାତ୍ରୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଇବୋଲା ସଂକ୍ରମଣକୁ ଗୁରୁତ୍ୱର ସହ ନେଇ ସତର୍କତା ଜାରି କରିଛି । ଏହାପରେ ଭାରତ ସରକାର ପକ୍ଷରୁ ସ୍କ୍ରିନିଂ, କ୍ୱାରେଣ୍ଟାଇନ୍, ଲ୍ୟାବ ପରୀକ୍ଷା ଓ ରୋଗୀ ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଇଛି ।
who ର ତଥ୍ୟ ଅନୁଯାୟୀ ଏହି ଇବୋଲା ସଂକ୍ରମଣ 17ତମ ଥର ପାଇଁ ସାରା ବିଶ୍ବରେ ଚିନ୍ତା ସୃଷ୍ଟି କରିଛି । ବର୍ତ୍ତମାନ ବୁଣ୍ଡିବୁଗ୍ୟୋ ଭାଇରସ୍ ଦ୍ବାରା ସଂକ୍ରମଣ ବ୍ୟାପିବାରେ ଲାଗିଛି । ମେ’ 15 ତାରିଖ ସୁଦ୍ଧା ଆଫ୍ରିକାର 3 ପ୍ରମୁଖ ସଂକ୍ରମିତ କ୍ଷେତ୍ରରୁ 246ଟି ମାମଲା ସାମ୍ନାକୁ ଆସିଛି ଯାହା ମଧ୍ୟରେ 80 ଜଣଙ୍କ ମୃତ୍ୟୁ ଘଟିଛି । ମେ’ 5 ତାରିଖ ସୁଦ୍ଧା 4ଜଣ ସ୍ବାସ୍ଥ୍ୟକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।ଇବୋଲା ଭାଇରସ୍ ରୋଗ ଭଳି ବର୍ତ୍ତମାନ ପର୍ଯ୍ୟନ୍ତ ବୁଣ୍ଡିବଗ୍ୟୋ ଭାଇରସ୍ ସଂକ୍ରମଣ ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ । ଯାହା ଦ୍ବାରା ଏହାର ସଂକ୍ରମଣ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି । ଏଥିପାଇଁ ଯଥାଶୀଘ୍ର ରୋଗର ନିରୁପଣ ଓ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି ।ଏହି ରୋଗ ସଂକ୍ରମିତ ବନ୍ୟଜୀବଯେପରି ବାଦୁଡ଼ିଠାରୁ ବ୍ୟାପୁଥିବାର ସନ୍ଦେହ କରାଯାଉଛି । ଏହା ଜନ୍ତୁଙ୍କର ରକ୍ତ କିମ୍ବା ଲାଳ ସଂସ୍ପର୍ଶରେ ଆସିବା ଫଳରେ ବ୍ୟାପିଥାଏ । ପରବର୍ତ୍ତୀ ସମୟରେ ସଂକ୍ରମିତ ମଣିଷର ରକ୍ତ, ଶରୀରରୁ ନିର୍ଗତ ଲାଳ କିମ୍ବା ତରଳ ପଦାର୍ଥ ସହିତ ସଂସ୍ପର୍ଶରେ ଆସିଥିବା ମଣିଷକୁ ବ୍ୟାପିଥାଏ । ଏହା ସହିତ ସ୍ବାସ୍ଥ୍ୟ ବିଭାଗ ନିକଟରେ ସଠିକ ଭିତ୍ତିଭୂମି ଅଭାବରୁ ଏହି ରୋଗ ସଂକ୍ରମଣ ହେବାକୁ ରୋକିବାରେ ବିଫଳ ହୋଇଥାଏ । ଏହା ସହିତ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଅସୁରକ୍ଷିତ ସମାଧି ଦେବା ପ୍ରକ୍ରିୟା (ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶ) ଦ୍ବାରା ମଧ୍ୟ ବ୍ୟାପିଥାଏ ।
