ଭଲା ଆଖି ହଳେ ପାଇଛ ହେ ପ୍ରଭୁ, ଭଲା ଆଖି ହଳେ ପାଇଛ.. ସଂସାରଟା ସାରା ଯିଏ ବି ଦେଖୁଛି, ତାକୁ ଲାଗୁଛି ତମେ ତାକୁ ହିଁ କେବଳ ଚାହିଁଛ.. ସତରେ, ଚକାଡୋଳାରେ କି ଯାଦୁ ଅଛି କେଜାଣି । ଯାହାକୁ ଦେଖିଲେ ସବୁ ଦୁଃଖ, ସବୁ ଯନ୍ତ୍ରଣା କୁଆଡେ ପଳାଏ କିଛି ଜଣା ପଡେନି । ମଣିଷ କେତେ କଥା ଭାବିକି ଯାଇଥାଏ, ଜଗାକୁ କିଛି କହିବ ବୋଲି.. ହେଲେ ସେ ଚକାଆଖିର ସମ୍ମୋହନରେ ସବୁକିଛି ଭୁଲିଯାଏ । ଅଦ୍ଭୂତ ତା ଲୀଳା, ଅପୂର୍ବ ତା ଆଖି- ଯେଉଁ ଆଖିରେ ଆକର୍ଷଣ ଅଛି, ଆପଣାପଣ ଅଛି, ଆ’ କହି କୋଳେଇ ନେବାର ସେ ଆମନ୍ତ୍ରଣ ଅଛି । ତା ଆଖି ଆଖି ନୁହେଁ, ତା ଆଖି ଚକା ଆଖି- ସାରା ଜଗତକୁ ଚାହିଁଥିବା ଆଖି । ଏ ଜଗତକୁ ଦେଖିବା ପାଇଁ, ବୋଧେ ସିଏ ପଲକ ପକାଏ ନାହିଁ ।
ସଂସାରରେ ସମସ୍ତଙ୍କ ଠକି ହେବ, ସମସ୍ତଙ୍କୁ ଆଖି ଆଢୁଆଳରେ ଭୁଲ, ମିଛ, ପାପ କରିହେବ ହେଲେ ତା ଆଗରେ ନୁହେଁ- କାରଣ ସିଏ ଚକାଡୋଳା ଖୋଲି ସବୁବେଳେ ଦେଖୁଥାଏ । ତାର ପତା ନଥାଏ । ତେଣୁ ତ ଭକ୍ତ ଭୟ ଓ ଭକ୍ତିରେ କୁହେ-
ଯାହା କିଛି କରେ ମୁଁ ସବୁ କିଛି ଦେଖୁ ତୁ..
ଯାହା କିଛି ଭାବେ ମୁଁ ସବୁ ଭାବ ବୁଝୁ ତୁ..
ବଡ଼ଦାଣ୍ଡରେ ଚାରୁଚିତ୍ର କଳା ନେତ୍ରକୁ ଚାହିଁଛି ଜଗତ । ଗହଳି ଲଗାଇ, ଟାହିଆ ହଲାଇ, ଜଗା କାଳିଆ ଯେବେ ଆଇଲା ସେବେ ସାରା ଜଗତ ମଣିମା.. ମଣିମା ଡାକରେ କମ୍ପିଲା । ଜଗା ଯେଉଁଠି, ଜନ ସେଇଠି । କାଳିଆ ଯେଉଁଠି କୋଳାହଳ ସେଇଠି.. ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି ।
କିଏ ଜଗା ପାଇଁ ଅପେକ୍ଷା କରିଥିଲା ତ କିଏ ଜଗା ପାଇଁ ନାଚୁଥିଲା । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ସମସ୍ତେ ମହାବାହୁଙ୍କୁ ଅପେକ୍ଷା କରିଥିବା ବେଳେ ଧାଡି ପହଣ୍ଡିରେ ଆସି ଧିରେଧିରେ ସିଂହଦ୍ବାର ସାମ୍ନାକୁ ଭକ୍ତଙ୍କୁ କଣେଇ କଣେଇ ମହାବାହୁ ଚାହିଁଥିଲେ ଆଉ ତାପରେ ଯାହା ହେଲା ତାହା କଳ୍ପନା ବାହାରେ । ଚିତ୍ତଚୋର, ଚକାଆଖିକୁ ଦେଖି ଭକ୍ତର ଆଖିରୁ ବୋହିଗଲା ଧାରଧାର ଲୁହ । ଭାବର ବଡଦାଣ୍ଡ ଭକ୍ତିର ଲୁହରେ ଭିଜିଲା । ହେ ମହାବାହୁ ତମର ଏ କି ଲୀଳା.. ତୁମେ ସତରେ ଯାଦୁଗର ପ୍ରଭୁ- ଜଗା ତୁ ଏ ଜଗତର ବଡ ଯାଦୁଗରରେ.. ଝୁଲିଝୁଲି ଆସୁଥିବା ଗଜାକୁ ଦେଖି ଭକ୍ତ ଗାଇ ଉଠିଲା
ଝୁଲି ଝୁଲି ଆସ ଟାହିଆ ହଲେଇ
ଆହା କି ସୁନ୍ଦର ଦିଶ..
ଜବା ଅଧରରୁ ଝରି ପଡୁଥାଏ
ମୁକୁତା ମାଣିକ ହସ..
ସତରେ କାଳିଆର ଲାଲ ଟହଟହ ହସ, ତା ଚକାଡୋଳାରେ ଯାଦୁ ରହିଛି, ଯାହାକୁ ଦେଖି ଏ ଜଗତ ପାଗଳ, ଏ ନେତ୍ର ପବିତ୍ର- ଜଗତକୁ ସେମିତି ନିଜ ଭୂଜ ତଳେ ଘଣ୍ଟ ଘୋଡେଇ ରଖିଥାଅ ପ୍ରଭୁ ।