Odia News Portal

ରାଖୀରେ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ  ‘ବାସୁଙ୍ଗା ପାଟ’: ଏଥିରେ ବସ୍ତ୍ର ପ୍ରସ୍ତୁତ ହୁଏ ନାହିଁ

ଦେବସ୍ନାନ ପୂର୍ଣ୍ଣିମା, ରାଖୀ ପୂର୍ଣ୍ଣିମା ଆଦିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ। ଏହି ବାସୁଙ୍ଗା ପାଟ ମହାପ୍ରଭୁଙ୍କର ଅତିପ୍ରିୟ। ଖାସ୍‌ ଏଥି ପାଇଁ ପ୍ରତି ବର୍ଷ ରଥଯାତ୍ରା ପୂର୍ବରୁ ଭୁବନେଶ୍ବରରୁ ଶ୍ରୀମନ୍ଦିରକୁ ଯାଏ ଶହ ଶହ କିଲୋଗ୍ରାମ୍‌ର ବାସୁଙ୍ଗା ପାଟ। ଏହି ବାସୁଙ୍ଗାପାଟ ଚତୁର୍ଦ୍ଧାମୂର୍ତ୍ତୀ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ଲାଗିହୁଏ। ଶ୍ରୀଜୀଉମାନଙ୍କର ପ୍ରତିଟି ପର୍ବପର୍ବାଣୀରେ ବାସୁଙ୍ଗା ପାଟର ମହତ୍ବ ଅନେକ ରହିଛି। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋର ହେଉ ବା ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହି ପାଟ ଡୋର ବ୍ୟବହାର କରାଯାଇଥାଏ। ସବୁଠାରୁ ରୋଚକ କଥା ହେଉଛି, କେବଳ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ସେବାରେ ବାସୁଙ୍ଗା ପାଟ ଲାଗି ହୋଇଥାଏ। ଏହାର ଏଯାଏ କୌଣସି ବାଣିଜ୍ୟିକ ବ୍ୟବହାର ହୋଇନାହିଁ। ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ ହୋଇଥାଏ। ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଓ ଆର୍‌ ଉଦୟଗିରି ବ୍ଲକ୍‌ର ଜନଜାତି ରେଶମ ଚାଷୀଙ୍କ ଦ୍ବାରା ଉତ୍ପାଦିତ ହୋଇଥାଏ। ଏଥିରେ କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଅଠା ଲଗାଯାଇ ରଙ୍ଗାୟିତ କରାଯାଇଥାଏ। ଏହି କୋଷାଗୁଡ଼ିକୁ ସେରିଫେଡ୍‌ ଦ୍ବାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣାସ୍ଥିତି ସିଲ୍କ ପ୍ରଡକ୍ସନ ଆଣ୍ଡ୍‌ ଟେକ୍‌ନିକାଲ୍‌ ଅପ୍‌ଗ୍ରେଡେସନ୍‌ ସେଣ୍ଟରଠାରେ ପ୍ରକ୍ରିୟାକରଣ କରାଯାଏ। ଶ୍ରୀମନ୍ଦିରର ଆବଶ୍ୟକତା ଅନୁଯାୟୀ ବାସୁଙ୍ଗା ପା‌ଟ ଡୋର ଭାବେ ପ୍ରସ୍ତୁତ କରି ସେଠାକୁ ପ୍ରେରଣ କରାଯାଏ।

ବାସୁଙ୍ଗା ପାଟର ବ୍ୟବହାର ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟରେ ହୋଇଥାଏ। ତାଙ୍କର ଦାରୁ ଶଗଡ଼ିକୁ ଯେପରି ପଟ୍ଟବସ୍ତ୍ରରେ ଆବୃତ କରି ବାସୁଙ୍ଗା ପାଟଦଉଡ଼ି ଭିଡ଼ାଯାଇଥାଏ, ସେହିପରି ପହଣ୍ଡିରେ ଯେଉଁ କାଞ୍ଚନମାଳା ଡୋର ବ୍ୟବହୃତ ହୁଏ, ତାହା ମଧ୍ୟ ବାସୁଙ୍ଗା ପାଟ ଡୋରି। ଏପରିକି ତାଙ୍କ ବିଗ୍ରହମାନେ ଯେଉଁ ମୁକୁଟ ପିନ୍ଧନ୍ତି, ତାହା ମଧ୍ୟ ବାସୁଙ୍ଗା ପାଟରେ ତିଆରି ହୋଇଥାଏ। ରଥକୁ ହେଉ ବା ସ୍ନାନବେଦୀକୁ ହେଉ, ବାହୁଟ କଣ୍ଟ ସହିତ ବାସୁଙ୍ଗାପାଟ ଡୋରରେ ରୁନ୍ଧା ହୋଇ ପ୍ରଭୁ ବାହାର ଯାତ୍ରା କରିଥାନ୍ତି। ତେବେ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତିମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ପ୍ରତିବର୍ଷ ନୂଆପାଟଣାସ୍ଥିତ ସେରିଫେଡ୍ ଶାଖାରେ ପହଞ୍ଚି ପାଟର ଗୁଣବତ୍ତା, ତିଆରି ଶୈଳୀ ଆଦି ସମ୍ପର୍କରେ ତଦାରଖ କରିଥା’ନ୍ତି।

ଏନେଇ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍‌)ର ପରିଚାଳନା ନିର୍ଦ୍ଦେଶକ ବିକ୍ରମ‌ାଦିତ୍ୟ ବାରିକ କହିଛନ୍ତି, ଏହି ରେଶମି ଡୋର ସାଧାରଣ ସୂତା ଭଳି ନୁହେଁ। ଏହା ହେଉଛି ଝୋଟ ଭଳି ପଟ ପଟ ଆକୃତିରେ। ବାସୁଙ୍ଗା ପାଟ ବାସ୍ତବରେ ପାଟ ନୁହେଁ, ପଟ। ଯେହେତୁ ଏହା ମଲ୍‌ବେରୀରୁ ତିଆରି ହୁଏ ତେଣୁ ଏହାକୁ ପାଟ ବୋଲି କୁହାଯାଏ। କିନ୍ତୁ ଏଥିରେ ବସ୍ତ୍ର ତିଆରି ସମ୍ଭବ ନୁହେଁ। ଠାକୁର ବାହାରକୁ ବାହାରିଲେ ବା ପଡ଼ାଉଠା ହେଲେ ଏହାର ଆସ୍ତରଣ ଯୋଗୁଁ ଶ୍ରୀଅଙ୍ଗ ସୁରକ୍ଷିତ ରୁହେ। ଶ୍ରୀମନ୍ଦିରର ବରାଦ ମୁତାବକ ପ୍ରତିବର୍ଷ ପାଖାପାଖି ୩୦୦ ‌କେଜିରୁ ଅଧିକ ବାସୁଙ୍ଗା ପଟ ଶ୍ରୀମନ୍ଦିରକୁ ଯାଇଥାଏ। ଅନ୍ୟ କୌଣସି ମନ୍ଦିରରେ ଏହି ପାଟ ବ୍ୟବହୃତ ହୁଏ ନାହିଁ ବୋଲି ସେ କହିଛନ୍ତି।