ବନ୍ୟାରେ ଉବୁଟୁବୁ ଦିଲ୍ଲୀ By Swadhikar News Last updated Sep 5, 2025 ଦିଲ୍ଲୀ-ଏନ୍ସିଆର୍ରେ ଆଜି ଯମୁନା ନଦୀର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇ ରାଜଧାନୀର ବ୍ୟାପକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି। ଯମୁନା ଜଳସ୍ତର ଆଜି ସର୍ବୋଚ୍ଚ ୨୦୭.୪୮ ମିଟରକୁ ପହଞ୍ଚିଛି, ଯାହା ଦିଲ୍ଲୀର ଇତିହାସରେ ତୃତୀୟ ସର୍ବୋଚ୍ଚ ସ୍ତର ଭାବେ ରେକର୍ଡ ହୋଇଛି। ଲଗାଣ ମୌସୁମୀ ବର୍ଷା ଏହି ସ୍ଥିତିକୁ ଆହୁରି ଜଟିଳ କରିଛି।ଯମୁନା ବଜାର ଅଞ୍ଚଳରେ ଥିବା ରିଲିଫ କ୍ୟାମ୍ପଗୁଡ଼ିକ ଜଳମଗ୍ନ ହେବା ଫଳରେ ଶତାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହା ସହିତ ଗାଜିଆବାଦର ଲୋନି ଅଞ୍ଚଳରେ ନିର୍ମାଣାଧୀନ ଏକ ଫ୍ଲାଏଓଭର ଭାଙ୍ଗି ପଡ଼ିଛି। ଏଭଳି ଘଟଣା ବନ୍ୟାର ଭୟାବହତାକୁ ପ୍ରତିଫଳିତ କରୁଛି। ଦିଲ୍ଲୀର ପୁରୁଣା ରେଲ୍ୱେ ବ୍ରିଜ୍ରେ ଯମୁନା ନଦୀ ଜଳସ୍ତର ଗୁରୁବାର ସକାଳ ୭ଟାରେ ୨୦୭.୪୮ ରହିଥିଲା। ତଥ୍ୟ ଅନୁଯାୟୀ ସକାଳ ୬ଟାରୁ ୭ଟା ମଧ୍ୟରେ ଯମୁନା ନଦୀରେ ଜଳସ୍ତର ୨୦୭.୪୮ ମିଟର ରହିଥିଲା। ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବନ୍ୟାଜଳ ଦିଲ୍ଲୀ ସଚିବାଳୟରେ ମଧ୍ୟ ପହଞ୍ଚିଛି ଯେଉଁଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଏବଂ ପ୍ରମୁଖ ଅଧିକାରୀମାନଙ୍କ ଅଫିସ୍ ରହିଛି। ଆଜି ୮,୦୧୮ ଲୋକଙ୍କୁ ଅସ୍ଥାୟୀ ରିଲିଫ୍ ଶିବିରକୁ ପଠାଯାଇଥିବା ବେଳ ୨,୦୩୦ ଲୋକଙ୍କୁ ସ୍ଥାୟୀ କ୍ୟାମ୍ପକୁ ପଠାଯାଇଛି। ବନ୍ୟା ପାଣି ହଜାର ହଜାର ଲୋକଙ୍କ ଘରେ ପଶିଯାଇଛି। ପୂର୍ବ ଦିଲ୍ଲୀର ମୟୂରବିହାରରେ କିଛି ବିସ୍ଥାପିତ ପରିବାର ପାଇଁ ସ୍ଥାପିତ ହୋଇଥିବା ରିଲିଫ୍ ଶିବିର ଜଳମଗ୍ନ ହୋଇଯିବାରୁ ତାହାକୁ ବନ୍ଦ କରାଯାଇଛି। ଫଳରେ ଲୋକମାନେ ଅନ୍ୟତ୍ର ଯିବାପାଇଁ ବାଧ୍ୟ ହୋଇଛନ୍ତି। ଭୀଷଣ ବର୍ଷାରେ ଆଲିପୁରରେ ଜାତୀୟ ରାଜପଥ-୪୪ରେ ଏକ ବିଶାଳ ଫାଟ ସୃଷ୍ଟି ହେବାରୁ କେତେକ ଗାଡ଼ି ଫସିଯାଇଛି। ଦିଲ୍ଲୀର ସ୍ବାମୀନାରାୟଣ ମନ୍ଦିର ଏବେ ଏକ ନଦୀ ମଝିରେ ଠିଆ ହୋଇଥିବା ଭଳି ମନେ ହେଉଛି। ମନ୍ଦିରକୁ ସଂଯୋଗ କରୁଥିବା ଏକ ନବ ନିର୍ମିତ ଫୁଟ୍ଓଭର୍ ବ୍ରିଜ୍ ଆଉ ଦେଖାଯାଉନି। ଦିଲ୍ଲୀ ସହରର ସବୁଠାରୁ ବଡ଼ ଶ୍ମଶାନ ନିଗମବୋଧ ଘାଟରେ ବନ୍ୟା ପାଣି ପଶିଯିବାରୁ ଏଠାରେ ଶବଦାହ କାର୍ଯ୍ୟ ବନ୍ଦ ରହିଛି। swadhikarswadhikar news Share