ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ନିଷିଦ୍ଧକୁ ନେପାଳବାସୀଙ୍କ ଜୋର୍ଦାର୍ ବିରୋଧ By Swadhikar News Last updated Sep 9, 2025 ଫେସବୁକ୍, ଏକ୍ସ, ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ନିଷିଦ୍ଧକୁ ନେପାଳବାସୀ ଜୋର୍ଦାର୍ ବିରୋଧ କରିଛନ୍ତି। ସୋମବାର ନେପାଳ ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟ ସହରରେ ବଡ଼ଧରଣର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ପୁଲିସ ଗୁଳିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ସଂସଦର ଗେଟ୍ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ସରକାର ନିଷିଦ୍ଧ କରିଥିବା ୨୬ଟି ସୋସିଆଲ୍ ମିଡିଆ ଆପ୍ ଉପରୁ ନିଷିଦ୍ଧାଦେଶ ହଟାଇବା ଦାବିରେ ଆଜି ହଜାର ହଜାର ସଂଖ୍ୟାରେ ଜେନ୍-ଜି (୧୯୯୫ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତି) ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶରେ ଦୁର୍ନୀତି ଓ ବଢ଼ିଥିବା ବେକାରୀ ମଧ୍ୟ ଏହି ଆନ୍ଦୋଳନର ଅନ୍ୟତମ କାରଣ। ଆନ୍ଦୋଳନ ବେଳେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ଯୋଗୁ ଏହା ହିଂସାତ୍ମକ ମୋଡ଼ ନେଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ଏବଂ ୱାଟରକ୍ୟାନନ୍ ପ୍ରୟୋଗ କରିଥିଲେ। ଆନ୍ଦୋଳନକାରୀ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ହୋମ୍ଟାଉନ ଦମକ୍ ସ୍ଥିତ ବାସଭବନ ଉପରକୁ ପଥର ମାଡ଼ କରିଛନ୍ତି। ଅନେକ ଆନ୍ଦୋଳନକାରୀଙ୍କୁ ଆଜି ସ୍କୁଲ୍ ଏବଂ କଲେଜ ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ହିଂସା ଅଣାୟତ୍ତ ହେବାପରେ କାଠମାଣ୍ଡୁର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ସେନା ମୁତୟନ କରାଯାଇଛି। କାଠମାଣ୍ଡୁ ଜିଲ୍ଲା ପ୍ରଶାସନ ଅନୁଯାୟୀ ‘ହାମି ନେପାଳ’ ଦ୍ବାରା ଏହି ଆନ୍ଦୋଳନ କରାଯାଇଥିଲା ଏବଂ ଏଥିପାଇଁ ଆଗୁଆ ଅନୁମତି ନିଆଯାଇଥିଲା। ଏପଟେ କ୍ୟାବିନେଟ ବୈଠକରେ ନେପାଳ ଗୃହ ମନ୍ତ୍ରୀ ରମେଶ ଲେଖକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗୁରୁବାର ନେପାଳରେ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ କରାଯାଇଥିଲା। ଏହି ଆପ୍ ଗୁଡ଼ିକ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରଣାଳୟରେ ପଞ୍ଜୀକୃତ ହୋଇ ନ ଥିବାରୁ ସରକାର ନିଷିଦ୍ଧ କରିଥିଲେ। social mediaswadhikarswadhikar news Share