Odia News Portal

ସୂର୍ଯ୍ୟମନ୍ଦିର ଦେଖିଲେ ୪୦ ଦେଶର କୂଟନୀତିଜ୍ଞ: ଆଫ୍ରିକାର ୧୨, ଏସିଆର ୧୪, ୟୁରୋପର ୩, ଲାଟିନ୍ ଆମେରିକାର ୧୩ ବୈଦେଶିକ ଅଧିକାରୀ ସାମିଲ

୪୦ଟି ଦେଶର ଯୁବ ବୈଦେଶିକ ଅଧିକାରୀ ଆଜି ଅପରାହ୍ଣରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ‘ସୁଷମା ସ୍ୱରାଜ ପ୍ରତିଷ୍ଠାନ ଅଫ୍ ଫରେନ୍ ସର୍ଭିସ୍’ ପକ୍ଷରୁ ଚାଲିଥିବା ତୃତୀୟ ‘ଗ୍ଲୋବାଲ୍‌ ସାଉଥ୍‌ ୟଙ୍ଗ୍‌ ଡିପ୍ଲୋମେଟ୍‌ସ ଫୋରମ୍‌’ରେ ଯୋଗଦେବାକୁ ଆସିଥିବା ଆଫ୍ରିକାର ୧୨ଟି, ଏସିଆର ୧୪ଟି, ୟୁରୋପ୍‌ର ୩ଟି, ଲାଟିନ୍ ଆମେରିକାର ୧୩ଟି ଦେଶର ବୈଦେଶିକ ଅଧିକାରୀମାନେ ଆଜି କୋଣାର୍କରେ ପହଞ୍ଚିଥିଲେ। ସେମାନଙ୍କୁ ପ୍ରଥମେ ପର୍ଯ୍ୟଟନ ବିଭାଗର ଯାତ୍ରୀନିବାସଠାରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଗୋପ ତହସିଲଦାର୍‌ ଅନିଲ କୁମାର ମହାନ୍ତି, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ସ୍ୱାଗତ କରିଥିଲେ। ବୈଦେଶିକ ଅଧିକାରୀମାନେ ସେଠାରେ କିଛି ସମୟ ଅତିବାହିତ କରିବା ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ଯୁବ କୁଟନୀତିଜ୍ଞମାନେ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ବୁଲି ଦେଖିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ ଅନିମେସ ମଲ୍ଲିକ ସେମାନଙ୍କୁ ସୂର୍ଯ୍ୟମନ୍ଦିରର ଐତିହ୍ୟ ଓ କଳାଭାସ୍କର୍ଯ୍ୟ ସଂପର୍କରେ ବୁଝାଇଥିଲେ। ପରେ ବ୍ୟାଖ୍ୟାନ କେନ୍ଦ୍ର ଦେଖି ଭୁବନେଶ୍ୱର ଫେରି ଯାଇଥିଲେ। କୋଣାର୍କ ପୁଲିସ ପକ୍ଷରୁ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।