ଅପରେସନ୍ ସିନ୍ଦୂରକୁ ନେଇ ଜୈସ୍ କମାଣ୍ଡର୍ର ସ୍ବୀକାରୋକ୍ତି: ମୂଳପୋଛ ହୋଇଯାଇଛି ମସୁଦ ପରିବାର By Swadhikar News Last updated Sep 17, 2025 ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାହାୱଲପୁରସ୍ଥିତ ଜୈସ-ଏ-ମହମ୍ମଦ (ଜେଇଏମ୍) ମୁଖ୍ୟାଳୟ ଉପରେ ମେ ୭, ୨୦୨୫ରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’ ଆକ୍ରମଣରେ ଜେଇଏମ୍ ମୁଖ୍ୟ ମୌଲାନା ମସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟ ନିହତ ହୋଇଛନ୍ତି। ଏକ ଭାଇରାଲ ଭିଡିଓରେ ଜୈସର ବରିଷ୍ଠ କମାଣ୍ଡର ମାସୁଦ ଇଲିୟାସ କାଶ୍ମୀରୀ ଏହା ସ୍ୱୀକାର କରିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାରିତ ହେଉଛି। କାଶ୍ମୀରୀ ଏକ ଜନସମାଗମରେ କହିଛି- ଆଝାର ପରିବାରର ୧୦ ସଦସ୍ୟମାନଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହା ହେଉଛି ଜୈସ୍ର ଜଣେ କମାଣ୍ଡର ଦ୍ବାରା ପ୍ରଥମ ସରକାରୀ ସ୍ୱୀକାରୋକ୍ତି, ଯାହା ଭାରତର ଏହି ଆକ୍ରମଣର ସଫଳତାକୁ ସୂଚାଉଛି।ସୂଚନାଯୋଗ୍ୟ, ‘ଅପରେସନ୍ ସିନ୍ଦୁର’ ଥିଲା ଭାରତୀୟ ସେନା, ନୌସେନା ଓ ବାୟୁସେନାର ଏକ ସଂଯୁକ୍ତ ଅଭିଯାନ ଯାହା ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହାଲଗାମରେ ପାକ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା। ଆତଙ୍କୀ ଆକ୍ରମଣରେ ୨୬ ଜଣ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ ନିହତ ହୋଇଥିଲେ। ମେ ୭ରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ-ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଆଡ଼ା ଉପରେ ଆକ୍ରମଣ କରିଥିଲା। ବାହାୱଲପୁରର ଜାମିଆ ମସଜିଦ ସୁଭାନଲ୍ଲା କମ୍ପ୍ଲେକ୍ସକୁ ବାୟୁସେନା ଧ୍ବଂସ କରିଦେଇଥିଲା। ଏହା ଜୈସ୍ର ମୁଖ୍ୟ କେନ୍ଦ୍ର ଥିଲା ଏବଂ ସେଠାରେ ୬୦୦ରୁ ଅଧିକ ଆତଙ୍କବାଦୀ ତାଲିମ ନେଉଥିଲେ। ଅନ୍ୟ ଲକ୍ଷ୍ୟସ୍ଥଳ ମଧ୍ୟରେ କୋଟଲି, ମୁଜାଫରାବାଦ, ମୁରିଦ୍କେ ଓ ମାନସେହରା ଅନ୍ତର୍ଭୁକ୍ତ ଥିଲା। ନିହତଙ୍କ ମଧ୍ୟରେ ମସୁଦ ଆଝାରର ଭଉଣୀ, ତା’ର ସ୍ୱାମୀ, ଭଣଜା, ଭାଣିଜୀ ଏବଂ ଅନ୍ୟ ପରିବାର ସଦସ୍ୟ ଓ ନିକଟତମ ସହଯୋଗୀ ଅଛନ୍ତି। ସୂଚନାଯୋଗ୍ୟ, ଆଝାର ନିଜେ ଆକ୍ରମଣ ପରେ ଏକ ବିବୃତିରେ ଏହି ମୃତ୍ୟୁ ବିଷୟରେ ପ୍ରକାଶ କରିଥିଲା। ପ୍ରାରମ୍ଭରେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ ରିଲେସନ୍ସ (ଆଇଏସ୍ପିଆର୍) ଏହି ଆକ୍ରମଣ କେବଳ ଖାଲି କୋଠା ଉପରେ ହୋଇଥିବା ଦାବି କରି ଜେଇଏମ୍ ସଦସ୍ୟମାନଙ୍କୁ ନିରୀହ ନାଗରିକ ଭାବେ ଚିତ୍ରଣ କରିଥିଲା। କିନ୍ତୁ ଉପଗ୍ରହ ଚିତ୍ର ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବାହାୱଲପୁର କମ୍ପ୍ଲେକ୍ସରେ ମସଜିଦର ବ୍ୟାପକ କ୍ଷୟକ୍ଷତି ଦର୍ଶାଇଛି। ମସୁଦ ଆଝାର ହେଉଛି ଜୈସ-ଏ-ମହମ୍ମଦର ପ୍ରତିଷ୍ଠାତା ଓ ଜାତିସଂଘ ଘୋଷିତ ବିଶ୍ୱ ଆତଙ୍କବାଦୀ। ମସୁଦ ୨୦୦୦ରେ ଜେଇଏମ୍ ଗଠନ କରି ୨୦୦୧ରେ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲା। ୨୦୧୬ରେ ପଠାନକୋଟ ଓ ୨୦୧୯ରେ ପୁଲଵାମା ଆକ୍ରମଣ ଭଳି ଘଟଣା ପାଇଁ ଜୈସ୍ ଦାୟୀ। ଭାରତୀୟ ଗୁଇନ୍ଦା ସୂତ୍ର ଅନୁସାରେ, ଭାରତର ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ମସୁଦକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା, କିନ୍ତୁ ତା’ର ପରିବାର ମୁଖ୍ୟାଳୟରେ ହିଁ ରହିଥିଲେ। swadhikarswadhikar news Share