ରାଜ୍ୟରେ ଉତ୍କଟ ଆଳୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରୀସ୍ତରରେ ଆଳୁଚାଷକୁ ପ୍ରୋତ୍ସାହିତ କରାଯାଉଛି। ଉଦ୍ୟାନକୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଇ ଦିଆଯାଉଛି। ହେଲେ ଉତ୍ପାଦିତ ଆଳୁକୁ ରଖିବା ଲାଗି ସଂରକ୍ଷଣ ବ୍ୟବସ୍ଥା ନାହିଁ। ଫଳରେ ଚାଷୀ ବାଧ୍ୟ ହୋଇ ବିଲମୁଣ୍ଡରୁ ଅଳ୍ପ ମୂଲ୍ୟରେ ବେପାରୀଙ୍କୁ ବିକି ଦେଉଛି। ଏହି କାରଣରୁ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ ବର୍ଷ ଯେତିକି ଆଳୁ ଚାଷ ହୋଇଥିଲା, ଚଳିତ ବର୍ଷ ତାହା କମିଯାଇଥିବା ଦେଖାଯାଇଛି। ଉଦ୍ୟାନ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ବାର୍ଷିକ ୭ ହଜାର ମେଟ୍ରିକ ଟନ୍ ଓ ଦୈନିକ ୨୦ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ। ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଲାଗି ସରକାର ରିହାତି ମୂଲ୍ୟରେ ବିହନ କେଜି ପ୍ରତି ୨୦ ଟଙ୍କାରେ ଚାଷୀଙ୍କୁ ଯୋଗାଣ କରୁଛନ୍ତି। ଉତ୍ପାଦନ ପରେ ସବ୍ସିଡି ବାବଦକୁ ଅଧାଦାମ ଅର୍ଥାତ୍ ୧୦ ଟଙ୍କା ଲେଖାଏଁ ଚାଷୀଙ୍କ ଖାତାକୁ ଫେରାଇବାର ନିୟମ ରହିଛି। ହେକ୍ଟର ପିଛା ୧୦ରୁ ୧୫ କ୍ବିଣ୍ଟାଲ୍ ‘କୁଫ୍ରିଜ୍ୟୋତି’ ଓ ‘କୁଫ୍ରି ପୋଖରାଜ’ କିସମ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଜିଲ୍ଲାରେ ଗତବର୍ଷ ୫୩୭ ହେକ୍ଟର ଜମିରେ ଆଳୁଚାଷ ହୋଇଥିବାବେଳେ ୧୮ ହଜାର ୮୭୬ ମେଟ୍ରିକ ଟନ୍ ଉତ୍ପାଦନ ହୋଇଥିଲା। ତାହାକୁ ସଂରକ୍ଷିତ ରଖି ବିକ୍ରି କରିବାରେ ସମସ୍ୟା ହେବାରୁ ଅଧିକାଂଶ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଛି।ଏଥି ପାଇଁ ଚଳିତବର୍ଷ ଆଳୁଚାଷରୁ ଚାଷୀ ମୁହଁ ଫେରାଇଛନ୍ତି। ବିଭାଗୀୟ ସୂଚନା ମୁତାବକ ଏ ବର୍ଷ ମାତ୍ର ୩୦୦୦ ଚାଷୀ ୪୧୭.୯୩ ହେକ୍ଟର ଜମିରେ ଆଳୁଚାଷ କରିଛନ୍ତି। ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୬୨୬୯ କ୍ବିଣ୍ଟାଲ୍ ବିହନ ଯୋଗାଇ ଦିଆଯାଇଛି। ଏଥର ୫୦୦୦ କ୍ବିଣ୍ଟାଲ୍ ଆଳୁ ଉତ୍ପାଦନ ଲକ୍ଷ୍ୟ ରହିଛି। ଜିଲ୍ଲାରେ ଶୀତଳଭଣ୍ଡାର ନଥିବାରୁ କଟକର ଜଗତପୁର ଶୀତଳଭଣ୍ଡାରରେ ଆଳୁ ରଖାଯିବାକୁ ବ୍ୟବସ୍ଥା ହୋଇଛି। ହେଲେ ଚାଷୀଙ୍କ କହିବା କଥା, ଏତେ ବାଟ ଆଳୁ ନେଇ ରଖିବା ଏବଂ ସେଠାରୁ ଆଣି ବେପାର କରିବା ଅର୍ଥ ମହରଗରୁ ଯାଇ କାନ୍ତାରରେ ପଡ଼ିବା ସହ ସମାନ। ଏଥିଯୋଗୁଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଫଳରେ ଉତ୍ପାଦିତ ଆଳୁକୁ ଚାଷୀ ବିଲମୁଣ୍ଡରେ କମ୍ ମୂଲ୍ୟରେ ବେପାରୀଙ୍କୁ ବିକ୍ରି କରି ଦେଉଛନ୍ତି। ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଦେବପ୍ରସାଦ ରାଉତରାୟଙ୍କ ସୂଚନା ମୁତାବକ, ଚଳିତବର୍ଷ ସରକାରୀ ଭାବେ ୪୧୭ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିବାବେଳେ ପ୍ରକୃତରେ ୧୨୮୬ ହେକ୍ଟର ଜମିରେ ଚାଷୀମାନେ ବ୍ୟକ୍ତିଗତ ଉଦ୍ୟମରେ ଚାଷ କରିଛନ୍ତି। ଅମଳ ସରି ନଥିବାରୁ କେତେ ଉତ୍ପାଦନ ହେବ ଏବେଠୁ କହିବା ଠିକ ହେବନି। ଜଗତପୁରସ୍ଥିତ ଶୀତଳ ଭଣ୍ଡାରରେ ଆଳୁ ରଖିବା ଲାଗି ଚାଷୀଙ୍କୁ ସଚେତନ କରାଯାଉଛି। ଏଥିପାଇଁ ପରିବହନ ଖର୍ଚ୍ଚ ସଂପୃକ୍ତ ଶୀତଳ ଭଣ୍ଡାର ବହନ କରିବ। ଯେଉଁ ଚାଷୀ ବିହନ ନେଇ ଚାଷ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ଏବେ ୧୦ ଟଙ୍କା ଲେଖାଏଁ ସରକାରୀ ସବ୍ସିଡି ପଠାଇ ଦିଆଯାଉଛି।
