ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ: ପୁନିଆଙ୍କୁ କ୍ରୀଡ଼ା, ରଶ୍ମିତାଙ୍କୁ ଏମ୍ଏସ୍ଏମ୍ଇ By Swadhikar News Last updated Feb 12, 2026 ରାଜ୍ୟ ସରକାର ଗତ ୫ତାରିଖରେ ଆଇଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଥିବାବେଳେ ଆଜି ପୁଣି ଅଦଳବଦଳ କରିଛନ୍ତି। ଏଥିରେ ଦକ୍ଷତାବିକାଶ ଏବଂ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ନିକଟରେ କୃଷି ବିଭାଗର ସଚିବ ଭାବେ ନିଯୁକ୍ତି ପାଇଥିବା ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାବେଳେ ଏହାକୁ ବାତିଲ କରାଯାଇଛି। ସେହିପରି ଏମ୍ଏସ୍ଏମ୍ଇ ବିଭାଗ ସଚିବ ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏବେ ସେ ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ନିକଟରେ ବିଡିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ରଶ୍ମିତା ପଣ୍ଡାଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରି ଏମ୍ଏସ୍ଏମ୍ଇ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଓରସାକ୍ର ସିିଇଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁରେନ୍ଦ୍ର କୁମାର ମୀନାଙ୍କୁ ସିଏମ୍ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶିଳ୍ପ ବିଭାଗ ନିର୍ଦ୍ଦେଶକ ଆବୋଲି ସୁନିଲ ନରଭଣେଙ୍କୁ ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ ସେ ପୂର୍ବଭଳି ଓଏସ୍ଆଇସିର ପରିଚାଳନା ନିର୍ଦ୍ଦେଶକ, ଓଏସ୍ଏଫ୍ସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। swadhikarswadhikar news Share