ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି; SOP କଡାକଡି ପାଳନ ନିର୍ଦ୍ଦେଶ, ଫୋକସରେ ଶୂନ୍ୟ ଅଂଶୁଘାତ ମୃତ୍ୟୁ By Swadhikar News Last updated Mar 25, 2026 ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବା ସହ ଆଭାସୀ ମାଧ୍ୟମରେ ଜିଲ୍ଲା ଅଧିକାରୀ, ୱାଟକୋ ଅଧିକାରୀ, ମହାନଗର ନିଗମ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି SOPକୁ କଡାକଡି ପାଳନ କରିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ରଖିବା ସହ କୌଣସି ସମସ୍ୟା ହେଲେ ତାର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସେହିପରି ଅଂଶୁଘାତ ଯୋଗୁଁ ଯେପରି କାହାର ମୃତ୍ୟୁ ନ ହୁଏ ତାକୁ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । କାଳ ବୈଶାଖୀ ସମ୍ଭାବନା ନେଇ ସତର୍କ ରହିବା ଓ ପଶୁ ପକ୍ଷୀମାନଙ୍କ ପାଇଁ ଜଳ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଖରା ଯୋଗୁଁ ଯେପରି କୌଣସି ଅସୁବିଧା ନ ହେବ ତାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଡ୍ରେନେଜ ସଫା ରଖିବା, ବିଭିନ୍ନ ଜାଗାରେ ଜଳଛତ୍ର ଖୋଲିବା ସହ ସବୁ ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ବୈଠକରେ ଆଲୋଚନା ହୋଇଛି ।ଆଭାସୀ ମାଧ୍ୟମରେ ବରିଷ୍ଠ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଗ୍ରୀଷ୍ମ ପ୍ରବାହର ବିପଦକୁ ହ୍ରାସ କରିବା ପାଇଁ ସକ୍ରିୟ ଏବଂ ସମନ୍ୱିତ ପଦକ୍ଷେପ ନେବା ଜରୁରୀ । ସହରାଞ୍ଚଳରେ ଅତ୍ୟାବଶ୍ୟକ ନାଗରିକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ ।ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ଏସଓପି ଅନୁଯାୟୀ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସେ ଦୋହରାଇଛନ୍ତି । ବିଶେଷ କରି ନିରବଚ୍ଛିନ୍ନ ଏବଂ ସମାନ ଭାବେ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରବଳ ଗ୍ରୀଷ୍ମ ସମୟରେ ଯେପରି ଜଳ ଯୋଗାଣରେ କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ‘ୱାଟକୋ’ (WATCO) ଏବଂ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । swadhikarswadhikar news Share