ଗ୍ରହଶାନ୍ତି ପାଇଁ ସ୍ତ୍ରୀଙ୍କୁ ବିଧବା ସଜାଇ ପୁନଃବିବାହ ପାଇଁ ଯୋଜନା By Swadhikar News Last updated Mar 29, 2026 ଗ୍ରହଦୋଷ କଟିବା ପାଇଁ ମୁଣ୍ଡା ସଂପ୍ରଦାୟରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ପରମ୍ପରା ଜାରି ରହିଛି। ବିବାହିତ ସ୍ତ୍ରୀକୁ ବିଧବା କରାଇବା ପରେ ପୁଣି ସଧବା ବେଶରେ ସଜାଇ ବିବାହ ହେବା ସହ ସାହିଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଉଛି। ଏଭଳି କଲେ ଗ୍ରହଦୋଷ କଟିଯାଏ ବୋଲି ମୁଣ୍ଡା ସଂପ୍ରଦାୟରେ ବିଶ୍ୱାସ ରହିଛି। ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ୍ ବେଗା ପଞ୍ଚାୟତ ନେହେଙ୍ଗରା ଗାଁରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଆଦିବାସୀ ମୁଣ୍ଡା ପରିବାର ବସବାସ କରୁଛନ୍ତି। ସେହି ଅଞ୍ଚଳର ନରେନ୍ଦ୍ର ଶୁଣ୍ଢି ଆଜି ଫୋନ୍ ମାଧ୍ୟମରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ କହିଲେ ଯେ ତାଙ୍କ ଗାଁର ଜଟିଆ ମୁଣ୍ଡା ଅନ୍ୟ ଏକ ଗାଁରେ କାମ କରୁଥିବା ବେଳେ ଛାତରୁ ପଡ଼ି ଗୁରୁତର ହୋଇଥିଲେ। ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଶ୍ରୀ ନନ୍ଦ ତାଙ୍କର ଜଣେ ସହଯୋଗୀ ଟଙ୍କଧର ବାରିକଙ୍କୁ ତୁରନ୍ତ ସେହି ଗାଁକୁ ଯାଇ ସହଯୋଗ କରିବାକୁ କହିଥିଲେ। ଶ୍ରୀ ବାରିକ ସଂପୃକ୍ତ ଗାଁକୁ ଯାଇ ବୁଝିବାରୁ ଯାହା ତଥ୍ୟ ପାଇଲେ ସେଥିରେ ସେ ଆଚମ୍ବିତ ହୋଇଥିଲେ।ଘଟଣାଟି ଥିଲା ଏପରି। ଜଟିଆ ମରିନାହିଁ, ଜାତିପ୍ରଥା ଅନୁଯାୟୀ, ସେ ମରିଛି ବୋଲି ମିଛ ଖବର ପ୍ରଚାର କରାଯାଇଥିଲା। ଏହାପରେ ସ୍ତ୍ରୀଙ୍କର ଶଙ୍ଖା ସିନ୍ଦୂର ବାହାର କରି ତାଙ୍କୁ ବିଧବା କରାଯିବ। ରୀତିନୀତି ଅନୁଯାୟୀ, ଶୁଦ୍ଧିକ୍ରିୟା ସାରି ଭୋଜିଭାତ ଦିଆଯିବ। ପରେ ସେ ବଞ୍ଚିଥିବା ଖବର ପ୍ରଚାର କରାଯାଇ ପୁଣି ସ୍ତ୍ରୀକୁ ସଧବା ବେଶରେ ସଜାଇ ଦ୍ୱିତୀୟ ଥର ବିବାହ କରି ସାହିଭାଇଙ୍କୁ ଭୋଜିଭାତ ଦେଲେ ଗ୍ରହଦୋଷ କଟିଯିବ ବୋଲି ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ନେଇ ଏପରି ମୃତ୍ୟୁ ନାଟକ ରଚାଯାଇଥିବା ଖୋଦ୍ ଜଟିଆ ମଧ୍ୟ ନିଜେ ପୁଣି ଫୋନ୍ କରି ତାଙ୍କୁ ଜଣାଇଥିଲା। ଏଭଳି ଅନ୍ଧବିଶ୍ୱାସର ପ୍ରଥା ଆଜି ବି ତାଙ୍କ ନିର୍ବାଚନମଣ୍ଡଳୀରେ ଚାଲିଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଆଧୁନିକ ଯୁଗରେ ଆଦିବାସୀଙ୍କ ଉତ୍ଥାନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ସେମାନଙ୍କର ଶିକ୍ଷାଠାରୁ ଆରମ୍ଭ କରି ରୀତିନୀତି, ଚାଲିଚଳନରେ ଉନ୍ନତି ଅଣାଯିବା ସହ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଚେଷ୍ଟା ଜାରି ରହିଛି। ଏପରି ସମୟରେ ନାଟକ କରି ନିଜ ସ୍ତ୍ରୀକୁ ବିଧବା କରାଇବା ଏବଂ ପରେ ସାହିଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କରି ସେହି ସ୍ତ୍ରୀକୁ ପୁନଃବିବାହ କଲେ ଗ୍ରହଦୋଷ କଟିଯିବା ଭଳି ଅନ୍ଧବିଶ୍ୱାସ ତଥା କୁପ୍ରଥା କିଭଳି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିନାହିଁ, ତାହା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। swadhikarswadhikar news Share