ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା, ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପୁନଃବିଚାର କରାଯାଉ
ଏପ୍ରିଲ୍ ୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ଭୁବନେଶ୍ବର ମେଟ୍ରୋ ରେଳପ୍ରକଳ୍ପକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଲୋକଙ୍କ ଆକାଂକ୍ଷା ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିକୁ ରଖି ଏହି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବର ସାଂସଦ ଭାବେ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଏହି ପ୍ରକଳ୍ପ କେବଳ ଲୋକଙ୍କ ସ୍ବାର୍ଥକୁ ସାଧନ କରିବ ନାହିଁ ବରଂ ବିକଶିତ ଓଡ଼ିଶାନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ବି ପୂରଣ କରିପାରିବ।ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବ। ରାଜ୍ୟ ରାଜଧାନୀ ଭୁବନେଶ୍ବର ଏକ ବୃହତ୍ତର ନଗର ହୋଇଥିବା ବେଳେ ଜନସଂଖ୍ୟା ବି ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଭୁବନେଶ୍ବର ସହରରେ ସର୍ବଦା ଟ୍ରାଫିକ୍ ସମସ୍ୟା ଲାଗିରହିବା ସହ ବର୍ତ୍ତମାନର ପରିବହନ ବ୍ୟବସ୍ଥା ଉପରେ ଯଥେଷ୍ଟ ଚାପ ସୃଷ୍ଟି କରୁଛି। ଏଭଳି ସ୍ଥିତିରେ ଏକ ଉଚ୍ଚ ଶକ୍ତିସଂପନ୍ନ ଓ ସୁଲଭ ମୂଲ୍ୟରେ ଆଧୁନିକ ପରିବହନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ମେଟ୍ରୋ ଦ୍ବାରା ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ମହିଳା, ଛାତ୍ରଛାତ୍ରୀ, ବ୍ୟବସାୟୀ ଲାଭବାନ୍ ହୋଇପାରିବେ। ଭୁବନେଶ୍ବର- କଟକ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୨୦୨୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅନୁରୋଧ କରିଥିଲେ। ୨୦୨୪ ନଭେମ୍ବର ୩୦ ତାରିଖ ଦିନ ସେ ନିଜେ ଏହାର ସମୀକ୍ଷା କରିଥିଲେ। ଏଭଳି ସ୍ଥିତିରେ ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିବା ଠିକ୍ ହେବ ନାହିଁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ସହ ଖୋର୍ଦ୍ଧା ଅଞ୍ଚଳ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ନିବେଶକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଭୁବନେଶ୍ବର ସହର ନିବେଶକଙ୍କ ପାଇଁ ପ୍ରକୃଷ୍ଟ କ୍ଷେତ୍ର। ଏଠାକୁ ଦେଶ ବିଦେଶୀରୁ ବହୁ ପର୍ଯ୍ୟଟକ ବି ଆସୁଛନ୍ତି। ମେଟ୍ରୋ ଭଳି ଆଧୁନିକ ପରିବହନ ବ୍ୟବସ୍ଥା ପର୍ଯ୍ୟଟକଙ୍କ ପାଇଁ ସୁଖଦ ଅନୁଭବ ଆଣିପାରିବ। ମେଟ୍ରୋ କାର୍ଯ୍ୟକାରୀ ହେଲେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ସର୍ବୋପରି ସରକାରଙ୍କ ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ହୋଇପାରିବ। ଜନସଂଖ୍ୟା ଓ ଅର୍ଥନୈତିକ ମାପଦଣ୍ଡକୁ ରଖି ଏଭଳି ଏକ ପ୍ରକଳ୍ପ ବନ୍ଦ କରିବା କାରଣ ହୋଇନପାରେ ବୋଲି ଉଲ୍ଲେଖ କରି ମେଟ୍ରୋ ସଂପ୍ରତି ଦେଶର ଦୁଇଟି ଦୈତ୍ୟ ନଗରୀ ସହ ୧୮ଟି ନଗରରେ କାର୍ଯ୍ୟକାରୀ କରୁଛି। ୧୬ଟି ନଗରରେ କାର୍ଯ୍ୟ ଚାଲୁ ରହିଛି। ୧୨ଟି ନଗରରେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରହିଛି। ମେଟ୍ରୋ ପାଇଁ ୨୦ରୁ ୨୫ଲକ୍ଷ ଜନସଂଖ୍ୟା ମାପଦଣ୍ଡକୁ ଅଧିକାଂଶ ନଗର ପୂରଣ କରିପାରୁ ନଥିବା ବେଳେ କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାକୁ ମିଶାଇଲେ ନିର୍ଦ୍ଧାରିତ ମାପଦଣ୍ଡ ପୂରଣ କରିପାରୁଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟ ରାଜକୋଷରୁ ୨୭୪କୋଟି ଖର୍ଚ୍ଚ କରାଯାଇଥିବା ବେଳେ ଏହି ପ୍ରକଳ୍ପକୁ ଯଦି ୧୦ରୁ ୧୫ ବର୍ଷ ବିଳମ୍ବ କରାଯାଏ ତେବେ ଖର୍ଚ୍ଚ ୨ରୁ ୪ ଗୁଣା ବଢ଼ିଯିବାର ସମ୍ଭାବନା ରହିଛି। ତ୍ବରିତ ଲାଭକୁ ଦୃଷ୍ଟିରେ ରଖି କୌଣସି ମେଟ୍ରୋ ପ୍ରକଳ୍ପ କରାଯାଇନଥାଏ ବରଂ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଏ। ୭୯ତମ ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଦେଶରେ ବଢ଼ୁଥିବା ନଗର ଏବଂ ମେଟ୍ରୋ ପ୍ରକଳ୍ପ ଉପରେ ଉଦ୍ବୋଧନ ଦେଇଥିବା ବେଳେ ତାଙ୍କ ନିଜସ୍ବ ରାଜ୍ୟ ଓଡ଼ିଶା ଏଥିରୁ ବାଦ୍ ପଡ଼ିବ କି ? ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। ସାଂସଦ ଭାବେ ଏହି ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ରହିବ ବୋଲି କହି କ୍ୟାବିନେଟ୍ ବୈଠକ ନିଷ୍ପତ୍ତିର ପୁନଃ ବିଚାର କରିବାକୁ ଅନୁରୋଧ କରିଛନ୍ତି।
