ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ଆଶା ଭୋସଲେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ ବିମୋହିତ କରିଥିବା ଅପ୍ରତିଦ୍ୱନ୍ଦ୍ୱୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ହୃଦଘାତ ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କ ବିୟୋଗରେ ସମଗ୍ର ସଙ୍ଗୀତ ଜଗତ ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମହାନ ଶିଳ୍ପୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟର ଜରିଆରେ ତାଙ୍କର ଆରୋଗ୍ୟ କାମନା କରିଥିଲେ ହେଁ ନିୟତିର ବିଧାନ ଆଗରେ ସବୁ ପ୍ରାର୍ଥନା ବିଫଳ ହୋଇଛି।ଭାରତୀୟ ସଙ୍ଗୀତ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟାଇଥିବା ଏହି ସୁର ସାମ୍ରାଜ୍ଞୀ ନିଜ କ୍ୟାରିଅର ମଧ୍ୟରେ ୧୨ ହଜାରରୁ ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିଲେ। ପପ୍, ଗଜଲ, ଭଜନ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିବା ଏହି ମହୀୟସୀ ମହିଳାଙ୍କୁ ଦାଦା ସାହେବ ଫାଲକେ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ଭୂଷିତ କରାଯାଇଥିଲା। ଆସନ୍ତା ସୋମବାର ଦିନ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କର ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାର ସମ୍ଭାବନା ରହିଥିବା ବେଳେ ଏହି ଅପୂରଣୀୟ କ୍ଷତି ଭାରତୀୟ କଳା ସଂସ୍କୃତିକୁ ଏକ ବଡ଼ ଧକ୍କା ଲାଗିଛି।
