Odia News Portal

ପରମାଣୁ ବିବାଦ, ଆଲୋଚନା ବିଫଳ ପରେ ଇରାନର ବନ୍ଦରଗୁଡ଼ିକୁ ଘେରିଛି ଆମେରିକା

ଆମେରିକା-ଇରାନ ମଧ୍ୟରେ ପରମାଣୁ ଯୁଦ୍ଧ! । ଇରାନ କହୁଛି ୫ ବର୍ଷ, ଆମେରିକା ମାଗୁଛି ୨୦ ବର୍ଷର ରୋକ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ପରମାଣୁ ଆଲୋଚନା ଏବେ ଏକ ବଡ଼ ଅଚଳାବସ୍ଥାରେ ପହଞ୍ଚିଛି । ମୁଖ୍ୟ ବିବାଦ ହେଉଛି ‘ୟୁରାନିୟମ ସମୃଦ୍ଧିକରଣ’। ଯାହା ପରମାଣୁ ବୋମା ତିଆରିରେ ବ୍ୟବହାର ହୁଏ । ଏହାରି ମଧ୍ୟରେ ଇରାନ କହିଛି ଯେ, ସେ ଆଗାମୀ ୫ ବର୍ଷ ପାଇଁ ୟୁରାନିୟମ ସମୃଦ୍ଧିକରଣ କାମ ବନ୍ଦ ରଖିବ । କିନ୍ତୁ ନିଜ ପାଖରେ ଥିବା ୟୁରାନିୟମକୁ ଦେଶ ବାହାରକୁ ପଠାଇବ ନାହିଁ ।ସେପଟେ ଆମେରିକା ଚାହୁଁଛି, ଇରାନ ଅତି କମରେ ୨୦ ବର୍ଷ ପର୍ଯ୍ୟନ୍ତ ଏହି କାମ ବନ୍ଦ ରଖୁ । ନିଜ ପାଖରେ ଥିବା ସମସ୍ତ ପରମାଣୁ ସାମଗ୍ରୀକୁ ଦେଶ ବାହାରକୁ ପଠାଇ ଦେଉ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ୫ ବର୍ଷିଆ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପାକିସ୍ତାନର ଇସଲାମାବାଦରେ ପ୍ରାୟ ୨୧ ଘଣ୍ଟା ଧରି ଦୁଇ ଦେଶ ମଧ୍ୟରେ ବୈଠକ ଚାଲିଥିଲା । ଏଥିରେ ଆମେରିକା ପକ୍ଷରୁ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ପ୍ରତିନିଧିତ୍ୱ କରିଥିଲେ । ୧୯୭୯ ପରଠାରୁ ଦୁଇ ଦେଶ ମଧ୍ୟରେ ଏହା ସବୁଠାରୁ ବଡ଼ ସ୍ତରର ଆଲୋଚନା ଥିଲା । କିନ୍ତୁ ଏହି ପରମାଣୁ ବିବାଦକୁ ନେଇ କୌଣସି ସମାଧାନ ବାହାରି ପାରିଲା ନାହିଁ ।ଅନ୍ୟପଟେ ଆଲୋଚନା ବିଫଳ ହେବା ପରେ ଆମେରିକା ଇରାନର ବନ୍ଦରଗୁଡ଼ିକୁ ଘେରିବା ଆରମ୍ଭ କରିଛି । ଯାହା ଦ୍ୱାରା ଇରାନ ତେଲ ରପ୍ତାନି କରିପାରିବ ନାହିଁ । ଏହି ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଦର ବଢ଼ିବାରେ ଲାଗିଛି । ଇରାନ ନିଜର ପରମାଣୁ ଶକ୍ତିକୁ ନିଜର ଅଧିକାର ବୋଲି କହୁଥିବା ବେଳେ ଆମେରିକା ଏହାକୁ ବିଶ୍ୱ ପାଇଁ ବିପଦ ବୋଲି ମନେ କରୁଛି । ଯଦି ଏହି ବିବାଦର ସମାଧାନ ଶୀଘ୍ର ନହୁଏ ତେବେ ପୁଣି ଥରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ଏପ୍ରିଲ ୨୧ ତାରିଖ ଏହି ମାମଲାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।