ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି ମେସେଜ ଭାରତ ସରକାରଙ୍କ ତରଫରୁ ଆଲର୍ଟ ସର୍ଭିସ ଟେଷ୍ଟିଂ କରାଯାଇଥିଲା । ବିପଦ ସମୟରେ ଏହି ମେସେଜ ଆସିବ । ତେବେ ଆଜି ପରୀକ୍ଷାମୂଳକ ଭାବେ ୧୧.୪୧ ମିନିଟ ସମୟରେ ସମସ୍ତ ମୋବାଇଲରେ ଏହି ମେସେଜ ଆସିଥିଲା ।
ମେସେଜରେ ଲେଖାଥିଲା, ଭାରତ, ଏହାର ନାଗରିକମାନଙ୍କୁ ତ୍ବରିତ ବିପର୍ଯ୍ୟୟ ସତର୍କତା ସେବା ପ୍ରଦାନ କରିବା ପାଇଁ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ ବ୍ରଡକାଷ୍ଟ ଆରମ୍ଭ କରିଛି । ସଚେତନ ନାଗରିକ, ସୁରକ୍ଷିତ ଦେଶ । ଏହି ବାର୍ତ୍ତା ପାଇବା ପରେ ଜନସାଧାରଣଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ନାହିଁ । ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା- ଗୃହ ମନ୍ତ୍ରଣାଳୟ । ଏହା ଏକ ପରୀକ୍ଷାମୂଳକ ମେସେଜ ।
ଭାରତ ସରକାରଙ୍କ ଟେଲିକମ୍ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ସହିତ ମିଳିତ ଭାବେ ଏକ ନୂଆ ମୋବାଇଲ ଆଧାରିତ ବିପର୍ଯ୍ୟୟ ଆଲର୍ଟ ସିଷ୍ଟମକୁ ପରୀକ୍ଷା କରାଯାଇଛି । ଏହି ସିଷ୍ଟମର ଉଦ୍ଦେଶ୍ୟ କୌଣସି ବିପଦ ସମୟରେ ଭୂକମ୍ପ, ବନ୍ୟା ଏବଂ ଝଡତୋଫାନ ସମୟରେ ଲୋକଙ୍କୁ ତୁରନ୍ତ ଆଲର୍ଟ କରାଯିବା । ଏହି ସିଷ୍ଟମକୁ SACHET(ନ୍ୟାସନାଲ ଡିଜାଷ୍ଟର ଆଲର୍ଟ ପୋର୍ଟାଲ) ନାମ ଦିଆଯାଇଛି ।
ତେବେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ପରୀକ୍ଷାମୂଳକ ମେସେଜ ପଠାଯାଇଥିଲା । ଏହି ମେସେଜ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିକ ଅଞ୍ଚଳର ସଚିବ (ବିପର୍ଯ୍ୟୟ ପ୍ରଚଳନ ) ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍, ଅଗ୍ନିଶମ ଟିମ୍ ଏବଂ ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡସଙ୍କ ଉପସ୍ଥିତିରେ କରାଯାଇଛି ।
