Odia News Portal

ପ୍ରୋଟୋକଲ୍ ପାଳନ କରିବାକୁ ଇରାନ ଦେଲା କଡ଼ା ଚେତାବନୀ

ହର୍ମୁଜ୍ ପ୍ରଣାଳୀକୁ ନେଇ ଇରାନ ପକ୍ଷରୁ ଆସିଛି କଡ଼ା ଚେତାବନୀ। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଉପରେ ନିଜର ପୂର୍ଣ୍ଣ କର୍ତ୍ତୃତ୍ୱ ଥିବା ଦାବି କରି ତେହେରାନ କହିଛି, ଏହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ସମସ୍ତ ବାଣିଜ୍ୟିକ ଜାହାଜ, ଟ୍ୟାଙ୍କର ଏବଂ ନୌସେନା ଜାହାଜଙ୍କୁ ନିର୍ଦ୍ଦିଷ୍ଟ ନୌ-ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡିବ। ନିୟମ ଉଲ୍ଲଂଘନ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଇରାନ ସତର୍କ କରିଛି।

ଇରାନୀ ଗଣମାଧ୍ୟମରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଦେଶର ସାମରିକ ବାହିନୀର କେନ୍ଦ୍ରୀୟ ମୁଖ୍ୟାଳୟ ଖାତମ ଅଲ-ଆନବିୟା କହିଛି ଯେ, ହର୍ମୁଜ୍ ପ୍ରଣାଳୀର ସୁରକ୍ଷା ଏବଂ ପରିଚାଳନା ଇରାନର ସଶସ୍ତ୍ର ବାହିନୀର ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସମସ୍ତ ଜାହାଜକୁ କେବଳ ନିର୍ଦ୍ଦିଷ୍ଟ ସାମୁଦ୍ରିକ ପଥ ବ୍ୟବହାର କରିବା ସହିତ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ନୌସେନାର ଅନୁମତି ନେବାକୁ ପଡିବ ବୋଲି ସ୍ପଷ୍ଟ କରାଯାଇଛି।

ଇରାନ ଆହୁରି କହିଛି, ଯଦି କୌଣସି ଜାହାଜ କିମ୍ବା ଆନ୍ତର୍ଜାତିକ ନୌସେନା ୟୁନିଟ୍ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରନ୍ତି କିମ୍ବା ନିୟମ ଉଲ୍ଲଂଘନ କରନ୍ତି, ତେବେ ତୁରନ୍ତ କଠୋର ପ୍ରତିକ୍ରିୟା ଦିଆଯିବ। ଏପରି ସମୟରେ କତାର ପକ୍ଷରୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ଜାହାଜଗୁଡ଼ିକ ଉପରେ ସ୍ଥାୟୀ ସାମୁଦ୍ରିକ ଶୁଳ୍କ ଲାଗୁ କରିବା ପ୍ରସ୍ତାବକୁ କତାର ବିରୋଧ କରିଛି।

ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍ରି-ଲା ଡାଏଲଗ୍ ସୁରକ୍ଷା ସମ୍ମିଳନୀରେ ଭାଷଣ ଦେଇ କତାରର ଉପ-ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶେଖ୍ ସୌଦ ବିନ୍ ଅବଦୁଲ ରହମାନ ଅଲ୍ ଥାନି କହିଛନ୍ତି ଯେ, ଦୋହା ଏବଂ ଏହାର ଉପସାଗରୀୟ ସହଯୋଗୀ ଦେଶମାନେ ଏପରି କୌଣସି ଶୁଳ୍କକୁ ସମର୍ଥନ କରୁନାହାନ୍ତି। ତାଙ୍କ କହିବା ଅନୁସାରେ, ଜାହାଜ ଚଳାଚଳ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଗଲେ ଏହାର ସିଧାସଳଖ ପ୍ରଭାବ ବିଶ୍ୱ ବଜାର ଓ ଗ୍ରାହକଙ୍କ ଉପରେ ପଡିବ। ସେହି କାରଣରୁ କତାର ଓ ଏହାର ଆଞ୍ଚଳିକ ସହଯୋଗୀମାନେ ଏହି ପ୍ରସ୍ତାବକୁ ଦୃଢ଼ ଭାବରେ ବିରୋଧ କରୁଛନ୍ତି।