କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ମଧ୍ୟ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ତାଙ୍କ ପ୍ରାର୍ଥିପତ୍ର ନାକଚ ହେବା ଘଟଣାରେ ଦାଖଲ କରାଯାଇଥିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶୀର୍ଷ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲା ଏବେ ଶୁଣାଣି ଯୋଗ୍ୟ ନୁହେଁ ଏବଂ ଆବେଦନକାରୀ ଚାହିଁଲେ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ।
ଏହା ପୂର୍ବରୁ ସୁପ୍ରିମକୋର୍ଟରେ ମୀନାକ୍ଷୀ ନଟରାଜନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ଯୁକ୍ତି ରଖିଥିଲେ। ମଧ୍ୟ ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନର ଧାରା ୩୨୯ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ କୋର୍ଟ ସିଧାସଳଖ ଭାବେ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୁଏ, ତେବେ ନିର୍ବାଚନ ଶେଷ ହେବା ପରେ ‘ଇଲେକ୍ସନ ପିଟିସନ’ ଦାଖଲ କରିବା ହିଁ ଆଇନଗତ ପ୍ରକ୍ରିୟା ବୋଲି କୋର୍ଟ ମତ ରଖିଛନ୍ତି।
ସୂଚନା ଅନୁଯାୟୀ, ତେଲଙ୍ଗାନାରେ ତାଙ୍କ ବିରୋଧରେ ଥିବା ଏକ ବିଚାରାଧୀନ ମାମଲା ସମ୍ପର୍କରେ ଶପଥପାଠରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଥିଲେ।
ଅନ୍ୟପଟେ, ମୀନାକ୍ଷୀ ନଟରାଜନ ଏହି ରାୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା କେବଳ ତାଙ୍କ ପାଇଁ ବ୍ୟକ୍ତିଗତ ଝଟକା ନୁହେଁ, ବରଂ ଭାରତର ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଏକ ବଡ଼ ଧକ୍କା। ତାଙ୍କ ମତରେ, ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିବା ଉଚିତ୍ ଥିଲା।
