ଯାତ୍ରା ଜଗତରେ ପୁଣି ଦେଖାଦେଇଛି ନୂଆ ପାଲା । ସ୍ୱର୍ଣ୍ଣମହଲ ଯାତ୍ରା ପାର୍ଟିର ସହ-ପ୍ରଯୋଜକ କ୍ଷୀରୋଦ ସ୍ୱାଇଁଙ୍କ କିଛି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ସମଗ୍ର ଯାତ୍ରା ଜଗତ ଉଠୁଛି ପଡ଼ୁଛି। ଶଳୀନତା ଭୁଲି କଳାକାରମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିଛନ୍ତି ଯାହା ଏବେ ନୂଆ ବିବାଦ ଛିଡ଼ା କରିଛି । କଳାକାର ହେଉଛନ୍ତି ରାତିର ନିଶାଚର ଆଉ ଦିନର କୁକର । ଲୋକେ ଶୋଇଲା ବେଳେ କଳାକାର ଚରିବାକୁ ଯିବେ ସକାଳେ କୁକୁରଙ୍କ ପାଇଁ ରଖାଯାଇଥିବା ବାସି ରୁଟିକୁ କଳାକାର ଖାଇବେ ବୋଲି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସେହିପରି ପିୟୂଷ ତ୍ରିପାଠୀ ଏବଂ ସାଇ ଭଳି କଳାକାର ଭାଇରାଲ୍ କଳାକାର ନୁହଁ ଏମାନେ ଭାଇରସ୍ ବୋଲି କହିଛନ୍ତି। ଭାଇରାଲ ହୋଇ ଆସିଥିବା କଳାକାର କ୍ଷଣିକ ପାଇଁ ଗୋଟେ ମୁହୂର୍ତ୍ତ ଆସିବ ଏମାନେ ଚାଲିଯିବେ । ସାଇ ଭଳି କଳାକାର ନାଟକ ଜାଣିନାହାଁନ୍ତି, କାଳିଆ ବାବୁ ଅନାମଧେୟ କଳାକାରଙ୍କୁ 20 ଲକ୍ଷ ଜାଗାରେ 40 ଦେଇ ବୁକିଂ କରିଛନ୍ତି ବୋଲି ସେ କହିଛନ୍ତି । ପ୍ରଯୋଜକଙ୍କୁ ଅନାମଧେୟ ବୋଲି କହିବା ସହ କଳାକାରଙ୍କୁ କୋଟିଏ ଟଙ୍କାରେ ରଖିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଇଏଏସ୍ ଓଏଏସ୍ ଅଫିସର ବି ଏତିକି ପାଉନାହାଁନ୍ତି ବୋଲି କ୍ଷୀରୋଦ ସ୍ବାଇଁ କହିଛନ୍ତି । ସେହିଭଳି ବଜରଙ୍ଗୀ ନାଟକକୁ ଲୋକେ ମୁହଁ ମୋଡ଼ି ଚାଲିଯାଉଛନ୍ତି । କେବଳ ଭାଇରାଲ ଯୋଗୁ ପଇସା ପାଉଛନ୍ତି । ଦିନେ ପୀୟୁଷ, ସାଇ ଭଳି କଳାକାରଙ୍କୁ ରଙ୍ଗମହଲ କାଢ଼ି ଦେଇଥିଲା । ଆମ କଳାକଳାକାରଙ୍କ ଆଗରେ ସମୋନେ ସବୁ ଫିକା ପଡ଼ିଯିବେ ବୋଲି କ୍ଷୀରୋଦ ସ୍ବାଇଁ କହିଛନ୍ତି ।
ତେବେ କ୍ଷୀରୋଦ ସ୍ୱାଇଁଙ୍କ ଏହି ମନ୍ତବ୍ୟକୁ ଯାତ୍ରା ଜଗତର ଅନେକ ବ୍ୟକ୍ତିତ୍ୱ ତୀବ୍ର ବିରୋଧ କରିଛନ୍ତି। ବରିଷ୍ଠ କଳାକାର କାହ୍ନା ସ୍ୱାଇଁ କହିଛନ୍ତି ଯେ, କୌଣସି ପରିସ୍ଥିତିରେ କଳାକାରଙ୍କ ସମ୍ମାନହାନି କରିବା ଉଚିତ୍ ନୁହେଁ। ଅନ୍ୟପଟେ ସିଂହବାହିନୀ ଯାତ୍ରା ପାର୍ଟିର ପ୍ରଯୋଜକ ସଂଜୀବ ପାଢ଼ୀ ମଧ୍ୟ କ୍ଷୀରୋଦଙ୍କ ମନ୍ତବ୍ୟର କଡ଼ା ପ୍ରତିବାଦ କରିଛନ୍ତି।ବାସ୍ତବରେ ଗତ କିଛି ବର୍ଷ ଧରି ଯାତ୍ରା ଜଗତ ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ରହିଆସୁଛି। କଳାକାର-ମାଲିକଙ୍କ ମଧ୍ୟରେ ଆର୍ଥିକ କାରବାର, ଚୁକ୍ତିଭଙ୍ଗ ଅଭିଯୋଗ, ଅପେରା ମାଷ୍ଟର୍ସ ଆସୋସିଏସନର ନିୟମ ଉଲ୍ଲଂଘନ ଭଳି ପ୍ରସଙ୍ଗ ବାରମ୍ବାର ସାମ୍ନାକୁ ଆସିଛି। ଏବେ ପ୍ରଶ୍ନ ଉଠୁଛି, ୨୦୨୬-୨୦୨୭ ଯାତ୍ରା ସିଜନ ପୂର୍ବରୁ ଏହି ବିବାଦର ଅନ୍ତ ହେବ, ନା ଆଗକୁ ଏହା ତିବ୍ର ରୂପ ନେବ? ଏହା ଉପରେ ସମସ୍ତଙ୍କ ନଜର ରହିଛି।
