Odia News Portal

ଚଷମା ଧରାଇଦେଲା ନକଲି ଆଇଏସ ଅଫିସରଙ୍କୁ

ରାଜଧାନୀ ଭୁବନେଶ୍ୱରରୁ ଗିରଫ ହେଲା ଜଣେ ମହାଠକ। ନିଜକୁ ଜଣେ ଆଇଏଏସ୍ (IAS) ଅଫିସର ତଥା ଭୁବନେଶ୍ୱରର ସବ୍‌-କଲେକ୍ଟର କହି ସେ ଲୋକଙ୍କୁ ଚୂନ ଲଗାଉଥିଲା। ଶେଷରେ କମିଶନରେଟ୍ ପୋଲିସର ସହିଦନଗର ଥାନା ଟିମ୍ ହାତରେ ଧରାପଡ଼ିଛି ଏହି ନକଲି ବାବୁ । ଦେଖିବାକୁ ଠିକ୍ ଜଣେ ବଡ଼ ଅଫିସରଙ୍କ ଭଳି। କଥାବାର୍ତ୍ତା ଓ ହାବଭାବ ବି ଥିଲା ପୂରା ଆଇଏଏସ୍ (IAS) ଅଧିକାରୀଙ୍କ ପରି। ସବ୍‌-କଲେକ୍ଟର ପରିଚୟ ଦେଇ ସେ ଲୋକଙ୍କ ଉପରେ ରୋବ୍ ଦେଖାଉଥିଲା। ହେଲେ ଏ ବାବୁ ଜଣଙ୍କ ଅସଲି ନୁହେଁ, ବରଂ ଥିଲେ ପୂରା ନକଲି। ଭୁବନେଶ୍ୱରରୁ ସହିଦନଗର ଥାନା ପୋଲିସ ହାତରେ ଧରାପଡିଥିବା ଏହି ନକଲି ସବ୍-କଲେକ୍ଟରଙ୍କ ନାମ ହେଉଛି ବରଦା ସୁଧୀର। ତା’ର ପ୍ରକୃତ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଦୀର୍ଘ ଦିନ ଧରି ସେ ରାଜଧାନୀରେ ଡେରା ପକାଇ ନିଜକୁ ଭୁବନେଶ୍ୱରର ସବ୍-କଲେକ୍ଟର କହି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଉଥିଲା। ବିଭିନ୍ନ ସରକାରୀ କାମ କରାଇଦେବା ଏବଂ ସୁବିଧା ସୁଯୋଗ ଯୋଗାଇଦେବା ନାଁରେ ସେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଠକେଇ ଅଭିଯୋଗକୁ ଭିତ୍ତି କରି ସହିଦନଗର ଥାନା ପୋଲିସ ତା’ ଉପରେ ନଜର ରଖିଥିଲା। ରୂପାଲି ରେ ଚଷମା ଦୋକାନରୁ ଚଷମା କିଣି  ଟଙ୍କା ଦେଇ ନ ଥିଲା ଟଙ୍କା ମାଗିବାରୁ ନିଜକୁ ବଡ଼ ଅଧିକାରୀ ବୋଲି ପରିଚୟ ଦେଇଥିଲା ।  ସନ୍ଦେହଜନକ କାର୍ଯ୍ୟକଳାପ ଓ ଲୋକଙ୍କୁ ଧମକ ଦେଉଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ସହିଦନଗର ପୋଲିସ ।ଏହି ଆନ୍ତଃରାଜ୍ୟ ଠକର ଚେର କେତେ ଦୂର ଲମ୍ବିଛି, ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ଏବଂ ଏପର୍ଯ୍ୟନ୍ତ ସେ କେତେ ଲୋକଙ୍କୁ ଠକିଛି, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।