ଆମେରିକା-ୟୁରୋପ ମଧ୍ୟରେ ପୁଣି ଥରେ ବଢ଼ିଲା ବାଣିଜ୍ୟ ଯୁଦ୍ଧର ଆଶଙ୍କା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆରେ ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକ ଉପରେ କୌଣସି ନୂତନ ଡିଜିଟାଲ୍ ସେବା ଟିକସକୁ ଆମେରିକା ସହ୍ୟ କରିବ ନାହିଁ। ଟ୍ରମ୍ପ କହିଛନ୍ତି, ଯଦି କୌଣସି ଦେଶ ଆମେରିକୀୟ କମ୍ପାନି ଉପରେ ନୂତନ ଡିଜିଟାଲ୍ ଟିକସ ଲାଗୁ କରେ, ତେବେ ସେହି ଦେଶରୁ ଆମେରିକାକୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନି ଶୁଳ୍କ ଲାଗୁ କରାଯିବ। ତାଙ୍କ କହିବା ଅନୁସାରେ, ଅନେକ ୟୁରୋପୀୟ ଦେଶ ଏପରି ଡିଜିଟାଲ୍ ସେବା ଟିକସ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। କିଛି ଦେଶ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିପାରନ୍ତି। ଏଭଳି ପରିସ୍ଥିତିରେ ଆମେରିକା କଠୋର ପଦକ୍ଷେପ ନେବ ବୋଲି ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏହି ବୟାନ ପରେ ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟରେ ପୂର୍ବରୁ ରହିଥିବା ବାଣିଜ୍ୟ ତିକ୍ତତା ପୁଣି ଥରେ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।ଗତ ବର୍ଷ ଉଭୟ ପକ୍ଷ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିଥିଲେ। ସେହି ଚୁକ୍ତି ଅନୁଯାୟୀ ୟୁରୋପୀୟ ସାମଗ୍ରୀ ଉପରେ ଆମେରିକୀୟ ଶୁଳ୍କକୁ ୧୫ ପ୍ରତିଶତରେ ସୀମିତ କରାଯାଇଥିଲା ଏବଂ ୟୁରୋପୀୟ ସଂଘ ମଧ୍ୟ ଅନେକ ଆମେରିକୀୟ ଶିଳ୍ପ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ ସହମତ ହୋଇଥିଲା। କିନ୍ତୁ ୟୁରୋପୀୟ ସଂଘର ଆଇନଗତ ପ୍ରକ୍ରିୟାରେ ବିଳମ୍ବ ହେବାରୁ ଚୁକ୍ତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ହୋଇପାରିନଥିଲା। ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହି ବିବାଦର କେନ୍ଦ୍ରବିନ୍ଦୁରେ ରହିଛି ଫ୍ରାନ୍ସ। ୨୦୧୯ ମସିହାରେ ଫ୍ରାନ୍ସ ବଡ଼ ବଡ଼ ଡିଜିଟାଲ୍ କମ୍ପାନିଙ୍କ ଆୟ ଉପରେ ୩ ପ୍ରତିଶତ ଡିଜିଟାଲ୍ ସେବା ଟିକସ ଲାଗୁ କରିଥିଲା। ପରବର୍ତ୍ତୀ ସମୟରେ ଏହି ଟିକସକୁ ୬ ପ୍ରତିଶତକୁ ବୃଦ୍ଧି କରିବା ପ୍ରସ୍ତାବ ମଧ୍ୟ ଆସିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର ଚାପରେ ତାଙ୍କ ସରକାର ଏହି ଟିକସ ପ୍ରତ୍ୟାହାର କରିବ ନାହିଁ।ଏହାର ଜବାବରେ ଆମେରିକା ଫରାସୀ ମଦ ସମେତ ବିଭିନ୍ନ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ବିଚାର କରୁଥିବା ଜଣାପଡ଼ିଛି। ଏହାସହ ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ ଫ୍ରାନ୍ସ, ୟୁକେ, ଅଷ୍ଟ୍ରିଆ ଏବଂ ସ୍ପେନ୍ ଭଳି ଦେଶଗୁଡ଼ିକର ଡିଜିଟାଲ୍ ସେବା ଟିକସକୁ ଦୀର୍ଘଦିନ ଧରି ବିରୋଧ କରିଆସୁଛି।
ଆମେରିକାର ଯୁକ୍ତି ହେଉଛି, ଏହି ଡିଜିଟାଲ୍ ଟିକସ ମୁଖ୍ୟତଃ ଆମେରିକୀୟ ଟେକ୍ କମ୍ପାନିଙ୍କୁ ଟାର୍ଗେଟ କରୁଛି, ଯାହା ଅନ୍ୟାୟ ଏବଂ ପକ୍ଷପାତପୂର୍ଣ୍ଣ।ଏପରି ପରିସ୍ଥିତିରେ ଟ୍ରମ୍ପଙ୍କ ନୂଆ ଚେତାବନୀ ଆମେରିକା ଓ ୟୁରୋପ ମଧ୍ୟରେ ଏକ ନୂଆ ବାଣିଜ୍ୟ ଯୁଦ୍ଧର ସଙ୍କେତ ଦେଉଛି। ଯଦି ଉଭୟ ପକ୍ଷ ନିଜ ନିଜ ଅବସ୍ଥାନରେ ଅଟଳ ରୁହନ୍ତି, ତେବେ ଏହାର ପ୍ରଭାବ କେବଳ ଆମେରିକା ଓ ୟୁରୋପ ନୁହେଁ, ସମଗ୍ର ବିଶ୍ୱ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ ମଧ୍ୟ ପଡ଼ିପାରେ।
