Odia News Portal

ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ‘ସାମର୍ଥ୍ୟ–୨୦୨୬’

ଭିନ୍ନକ୍ଷମତା କୌଣସି ବାଧା ନୁହେଁ, ବରଂ ସାମର୍ଥ୍ୟ ଓ ସଫଳତାର ନୂଆ ପରିଭାଷା ଏହି ସନ୍ଦେସକୁ ସାରା ଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଜୁଲାଇ ୮ରୁ ଆରମ୍ଭ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ–୨୦୨୬’। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନ ସଂଘର୍ଷ, ଅଦମ୍ୟ ଆତ୍ମବିଶ୍ୱାସ ଏବଂ ପ୍ରେରଣାଦାୟୀ ସଫଳତାର କାହାଣୀକୁ ପରଦାରେ ସ୍ଥାନ ମିଳିବ।

ଏହି ଜାତୀୟ ସ୍ତରର ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟରୁ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଜୀବନ ଅନୁଭବ, ସଫଳତା ଓ ସମାଜ ପାଇଁ ସେମାନଙ୍କ ଅବଦାନକୁ ଆଧାର କରି ନିର୍ମିତ ୨ରୁ ୫ ମିନିଟ୍ ଅବଧିର ଫିଲ୍ମଗୁଡ଼ିକୁ ପ୍ରତିଯୋଗିତାରେ ସାମିଲ କରାଯିବ। ଆୟୋଜକମାନଙ୍କ ଅନୁସାରେ, ଚଳଚ୍ଚିତ୍ର ଦାଖଲ ପାଇଁ ଜୁଲାଇ ୮ ତାରିଖ ଶେଷ ସମୟ ରହିଥିବାବେଳେ ୮ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ସ୍କ୍ରିନିଂ ପ୍ରକ୍ରିୟା ଚାଲିବ । ମହୋତ୍ସବରେ ଆଞ୍ଚଳିକ ଓ ଜାତୀୟସ୍ତରର ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ୧୨ରୁ ଅଧିକ ବିଭାଗରେ ସମ୍ମାନ ପ୍ରଦାନ ସହ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ।