Odia News Portal

ବିଜୟ ସରକାର ବିଧାନସଭାରେ ଆଗତ କଲେ ସୀମା ନିର୍ଦ୍ଧାରଣ ବିରୋଧରେ ପ୍ରସ୍ତାବ

ଲୋକସଭା ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍‌କୁ ନେଇ ତାମିଲନାଡୁରେ ରାଜନୈତିକ ତାତି ବଢ଼ିଛି। ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ହେଲେ ଦକ୍ଷିଣ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରତିନିଧିତ୍ୱ ପ୍ରଭାବିତ ହେବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।ସେ ମହିଳା ସଂରକ୍ଷଣକୁ ସମର୍ଥନ କରିବା ସହ ଲୋକସଭାର ବର୍ତ୍ତମାନର ୫୪୩ ଆସନକୁ ବଜାୟ ରଖିବାକୁ ଦାବି କରିଛନ୍ତି। ଟିଭିକେ ପକ୍ଷରୁ ଉପସ୍ଥାପିତ ପ୍ରସ୍ତାବରେ ତିନୋଟି ପ୍ରମୁଖ ଦାବି ରହିଛି। ପ୍ରଥମତଃ, ଲୋକସଭାର ୫୪୩ଟି ଆସନକୁ ସ୍ଥାୟୀ ଭାବେ ବଜାୟ ରଖିବା। ଦ୍ୱିତୀୟତଃ, ପ୍ରତ୍ୟେକ ରାଜ୍ୟକୁ ବର୍ତ୍ତମାନ ଆବଣ୍ଟିତ ଲୋକସଭା ଆସନ ସଂଖ୍ୟାକୁ ସୁରକ୍ଷିତ ରଖିବା। ଏବଂ ତୃତୀୟତଃ, ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିବା।

ଦକ୍ଷିଣ ରାଜ୍ୟଗୁଡ଼ିକର ଯୁକ୍ତି ହେଉଛି, ଗତ କିଛି ଦଶନ୍ଧି ଧରି ଏଠାରେ ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପ ସଫଳ ହୋଇଛି। ତେଣୁ କେବଳ ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ପୁନଃବଣ୍ଟନ କଲେ ଦକ୍ଷିଣ ରାଜ୍ୟଗୁଡ଼ିକ ତୁଳନାମୂଳକ ଭାବେ କ୍ଷତିଗ୍ରସ୍ତ ହୋଇପାରନ୍ତି। ବିଶେଷକରି ଉତ୍ତର ପ୍ରଦେଶ ଭଳି ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକ ଅଧିକ ଲୋକସଭା ଆସନ ପାଇପାରନ୍ତି ବୋଲି ଦକ୍ଷିଣ ରାଜ୍ୟଗୁଡ଼ିକ ଆଶଙ୍କା ପ୍ରକାଶ କରୁଛନ୍ତି। ଏହାରି ମଧ୍ୟରେ ମହିଳା ସଂରକ୍ଷଣକୁ ସମର୍ଥନ କରିଥିଲେ ମଧ୍ୟ ଲୋକସଭା ଆସନର ସଂଖ୍ୟା ଓ ରାଜ୍ୟଗୁଡ଼ିକର ବର୍ତ୍ତମାନର ପ୍ରତିନିଧିତ୍ୱକୁ ସୁରକ୍ଷିତ ରଖିବା ଉପରେ ଜୋର ଦେଇଛି ଟିଭିକେ।