ଅଗଷ୍ଟ ୪ରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଆକାଶମାର୍ଗରେ ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଯିବା ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏୟାରଲାଇନ୍ସର ଆଭ୍ୟନ୍ତରୀଣ ଫ୍ଲାଇଟ୍ ସେଫ୍ଟି ରିପୋର୍ଟ ଅନୁଯାୟୀ, ବିମାନର ପାଇଲଟ୍-ଇନ୍-କମାଣ୍ଡ ନିଦ୍ରାହୀନତା ସମସ୍ୟା ପାଇଁ ନିଦ ବଟିକା ସେବନ କରୁଥିଲେ।
ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ, ପୂର୍ବରୁ ଦୁଇଥର ଡ୍ରଗ୍ ପରୀକ୍ଷାରେ ପାଇଲଟଙ୍କ ଗଞ୍ଜେଇ ସେବନର ପ୍ରମାଣ ମିଳିଥିଲା। ତେବେ ନିଜ ବୟାନରେ ପାଇଲଟ୍ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ସେ ଠିକ୍ ଭାବେ ଶୋଇପାରୁନଥିଲେ। ଫ୍ୟାମିଲି ଡାକ୍ତରଙ୍କ ପରାମର୍ଶରେ ସେ ଔଷଧ ସେବନ କରୁଥିବା ଦର୍ଶାଇଛନ୍ତି। ଫୁକେଟରେ ଲେଓଭର ସମୟରେ ମଧ୍ୟ ତାଙ୍କର ପର୍ଯ୍ୟାପ୍ତ ନିଦ ହୋଇନଥିଲା ବୋଲି ସେ କହିଛନ୍ତି।
ଏହାସହ ଲଗାତାର ଡ୍ୟୁଟି ଏବଂ ଅନିୟମିତ ବିଶ୍ରାମ ସମୟ ଯୋଗୁଁ ଆବଶ୍ୟକ ଶାରୀରିକ ସୁସ୍ଥତା ରହୁନଥିବା ନେଇ ମଧ୍ୟ ପାଇଲଟ୍ ନିଜ ବୟାନରେ ଉଲ୍ଲେଖ କରିଛନ୍ତି।
ରିପୋର୍ଟ ଅନୁସାରେ, ବିମାନଟି ହଠାତ୍ ତଳକୁ ଖସିବା ସମୟରେ ମୁଖ୍ୟ ପାଇଲଟ୍ ନିଜ ସିଟ୍ରେ ନଥିଲେ। ସେତେବେଳେ କୋ-ପାଇଲଟ୍ ବିମାନର ନିୟନ୍ତ୍ରଣରେ ଥିଲେ। ଦିଲ୍ଲୀରେ ଅବତରଣ ପରେ ମୁଖ୍ୟ ପାଇଲଟ୍ ଠିକ୍ ଭାବେ ଛିଡ଼ା ହୋଇପାରୁନଥିଲେ। ନମୁନା ସଂଗ୍ରହ ସମୟରେ ତଦନ୍ତକାରୀ ଅଧିକାରୀଙ୍କୁ ତାଙ୍କୁ ଧରି ବସାଇବାକୁ ପଡ଼ିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଡ୍ୟୁଟିରୁ ନିଲମ୍ବିତ କରାଯାଇଛି।
