Odia News Portal

ଜେନ୍‌-ଜି’ଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ସମର୍ଥନ କଲେ କଙ୍ଗନା

ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ‘ଜେନେରେସନ୍‌ ଗଟର’ ମନ୍ତବ୍ୟକୁ ପୁଣିଥରେ ଦୃଢ଼ ସମର୍ଥନ କରିଛନ୍ତି। ମୌସୁମୀ ଅଧିବେଶନର ଶେଷ ଦିନରେ ସଂସଦ ବାହାରେ ସାମ୍ବାଦିକଙ୍କ ସହ କଥା ହୋଇ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଟିପ୍ପଣୀ ସମଗ୍ର ଜେନ୍‌-ଜି ପିଢ଼ିକୁ ନେଇ ନଥିଲା। ବରଂ ନିର୍ଦ୍ଦିଷ୍ଟ କିଛି ବିକ୍ଷୋଭକାରୀଙ୍କୁ ଲକ୍ଷ୍ୟ କରି ସେ ଏହି ମନ୍ତବ୍ୟ ଦେଇଥିଲେ। କଙ୍ଗନା କହିଛନ୍ତି, ଯେଉଁମାନେ ନିଜକୁ ‘ଅସରପା’ ବୋଲି ପରିଚୟ ଦେଉଛନ୍ତି, ସେମାନଙ୍କୁ ନାଳ ସହ ତୁଳନା କରାଯିବାରେ ଅପମାନିତ ହେବାର କୌଣସି କାରଣ ନାହିଁ। ତାଙ୍କ ଯୁକ୍ତି ହେଉଛି, ଯଦି କେହି ନିଜକୁ ଅସରପା ବୋଲି କହୁଛନ୍ତି, ତେବେ ଅସରପା ନାଳରୁ ବାହାରନ୍ତି ବୋଲି କହିବାରେ ଭୁଲ୍ କ’ଣ ରହିଲା?

କଙ୍ଗନା ଆହୁରି କହିଛନ୍ତି, “ମୁଁ ନିଜକୁ ଅସରପା ବୋଲି ଭାବେ ନାହିଁ। କେହି ଯଦି ମୋତେ ନାଳରେ ରହୁଥିବା କହିବେ, ତେବେ ମୁଁ ନିଶ୍ଚିତ ଭାବେ ତାହାକୁ ଅସ୍ୱୀକାର କରିବି।” ତେବେ ନିଜକୁ ଅସରପା ବୋଲି ପରିଚୟ ଦେଉଥିବା ଲୋକଙ୍କୁ ନେଇ ଏଭଳି ଉଦାହରଣ ଦେବା ସ୍ୱାଭାବିକ ବୋଲି ସେ ଦାବି କରିଛନ୍ତି।ଯୁବପିଢ଼ିକୁ ସାମଗ୍ରିକ ଭାବେ ଟାର୍ଗେଟ୍‌ କରି ସେ ଏହି ମନ୍ତବ୍ୟ ଦେଇନଥିବା କଙ୍ଗନା ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଡ୍ରଗ୍ସ, ବେଟିଂ, ଜୁଆ ଏବଂ ଡାର୍କ ୱେବ୍‌ ଭଳି ନିଶା ଓ ଅପରାଧ ସହ ଜଡ଼ିତ ଯୁବପିଢ଼ିର ଏକ ନିର୍ଦ୍ଦିଷ୍ଟ ବର୍ଗକୁ ନେଇ ସେ ମନ୍ତବ୍ୟ ଦେଇଥିଲେ। ତେଣୁ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ନେଇ କହିବାକୁ ସମଗ୍ର ଯୁବପିଢ଼ି ବିରୋଧୀ ମନ୍ତବ୍ୟ ବୋଲି ବ୍ୟାଖ୍ୟା କରାଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

କଙ୍ଗନା ପ୍ରଶ୍ନ କରିଛନ୍ତି, “ମୁଁ କେବେ କହିଛି କି ସମସ୍ତ ଯୁବପିଢ଼ି ନାଳରେ ଅଛନ୍ତି?” ତାଙ୍କ କହିବା ଅନୁଯାୟୀ, ସେ ନିର୍ଦ୍ଦିଷ୍ଟ କିଛି ଲୋକ ଏବଂ କିଛି ମହିଳାଙ୍କ ଆଚରଣକୁ ନେଇ ଟିପ୍ପଣୀ କରିଥିଲେ। ଉଲ୍ଲେଖଯୋଗ୍ୟ, କ୍ରୋକୋଚ୍‌ ଜନତା ପାର୍ଟିର ଦିଲ୍ଲୀ ଆନ୍ଦୋଳନର କିଛି ଦିନ ପରେ କଙ୍ଗନା ଇନ୍‌ଷ୍ଟାଗ୍ରାମରେ କିଛି ଭିଡିଓ ଓ ପ୍ରତିବାଦକାରୀଙ୍କ ଭାଷାକୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେହି ପୋଷ୍ଟରେ ସେ ଜେନ୍‌-ଜି ବିକ୍ଷୋଭକୁ ‘ଜେନେରେସନ୍‌ ଗଟର’ ବୋଲି ଅଭିହିତ କରିଥିଲେ। ଏହି ମନ୍ତବ୍ୟ ପରେ କଙ୍ଗନାଙ୍କୁ ନେଇ ତୀବ୍ର ବିବାଦ ଓ ସମାଲୋଚନା ହୋଇଥିଲା। ତେବେ ଏବେ ପୁଣିଥରେ ନିଜ ମନ୍ତବ୍ୟକୁ ସମର୍ଥନ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କଙ୍ଗନା।