Odia News Portal

ଲାଲକିଲ୍ଲାକୁ ଗଲେ ନାହିଁ ରାହୁଲ-ଖାର୍ଗେ, ଲଗାତାର ଦ୍ୱିତୀୟ ବର୍ଷ ଅନୁପସ୍ଥିତ

ସାରା ଦେଶରେ ଆଜି ପାଳିତ ହେଉଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏହି ଗର୍ବର ଜାତୀୟ ଉତ୍ସବରେ ଲାଲକିଲ୍ଲାରେ ଦେଖିବାକୁ ମିଳିନାହାନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ। ବିଶେଷ କଥା ହେଉଛି, ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଅନୁପସ୍ଥିତ ରହିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ର ସ୍ୱାଧୀନତା ଦିବସ ସମାରୋହ ସମୟରେ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଲୋକସଭାର ବିରୋଧୀ ଦଳ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କ ସମକକ୍ଷ ମାନ୍ୟତା ପାଇଥିବା ରାହୁଲ ଗାନ୍ଧୀଙ୍କୁ ଲାଲକିଲ୍ଲାର କାର୍ଯ୍ୟକ୍ରମରେ ଦ୍ୱିତୀୟ ଧାଡ଼ିରେ ବସାଯାଇଥିଲା।

ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅଲିମ୍ପିଆନ୍‌ମାନଙ୍କୁ କାର୍ଯ୍ୟକ୍ରମରେ ବସାଇବା ପାଇଁ ବସିବା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଥିଲା।

ତେବେ ପ୍ରୋଟୋକଲ୍ ଅନୁଯାୟୀ, ଲୋକସଭାର ବିରୋଧୀ ଦଳ ନେତାଙ୍କୁ ଏଭଳି ଔପଚାରିକ ଜାତୀୟ କାର୍ଯ୍ୟକ୍ରମରେ ପ୍ରଥମ ଧାଡ଼ିରେ ସ୍ଥାନ ଦିଆଯାଇଥାଏ। ଏବେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖାର୍ଗେ ଲଗାତାର ଦୁଇ ବର୍ଷ ଧରି ସ୍ୱାଧୀନତା ଦିବସ ସମାରୋହରେ ଅନୁପସ୍ଥିତ ରହିବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।