Odia News Portal

ଦାରା ସିଂ ମାମଲା: ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ୍ ଷ୍ଟେନ୍‌ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ୍ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଣ୍ଡ ହ୍ରାସ ଆବେଦନ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆଇନଜୀବୀଙ୍କୁ ତୁରନ୍ତ ଏ ନେଇ ନିଷ୍ପତ୍ତି ନେବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆପଣମାନେ ଯାହା ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ନିଅନ୍ତୁ। ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନିଜେ ନିଷ୍ପତ୍ତି ନେବୁ।” ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବିଳମ୍ବ କରି ମାମଲାକୁ ଏଡ଼ାଇ ଯିବାକୁ କୋର୍ଟ ସହ୍ୟ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଦାରା ସିଂହଙ୍କ ଆବେଦନ ଉପରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ କ’ଣ ନିଷ୍ପତ୍ତି ନେଇଛି, ସେ ସମ୍ପର୍କରେ କୋର୍ଟକୁ ଅବଗତ କରାଯାଇନଥିବାରୁ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ରାଜ୍ୟ ପକ୍ଷରୁ କେନ୍ଦୁଝର ଜିଲ୍ଲା ଜେଲ୍‌ରୁ ଆବଶ୍ୟକ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନଥିବା କୁହାଯିବା ପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଗତ ଜୁଲାଇ ୧୪ ତାରିଖରେ ମାମଲାର ଶୁଣାଣି ସମୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ପ୍ରକ୍ରିୟାର ସମୀକ୍ଷା କରି ଶୀଘ୍ର କୋର୍ଟକୁ ଅବଗତ କରାଇବ ବୋଲି କହିଥିଲା। କିନ୍ତୁ ପ୍ରାୟ ଏକ ମାସ ବିତିଥିଲେ ମଧ୍ୟ କୌଣସି ସ୍ପଷ୍ଟ ନିଷ୍ପତ୍ତି କୋର୍ଟକୁ ଜଣାଯାଇନଥିବାରୁ ଖଣ୍ଡପୀଠ ଆପତ୍ତି ଉଠାଇଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି, କେଉଁ ବିଭାଗ ସହ କ’ଣ ଆଲୋଚନା ହେଉଛି କିମ୍ବା କେଉଁ କର୍ତ୍ତୃପକ୍ଷଙ୍କ ସହ ପତ୍ର ବିନିମୟ ହେଉଛି, ତାହା କୋର୍ଟର ଚିନ୍ତାର ବିଷୟ ନୁହେଁ। କୋର୍ଟକୁ କେବଳ ଦଣ୍ଡ ସମୀକ୍ଷା ବୋର୍ଡର ଚୂଡ଼ାନ୍ତ ନିଷ୍ପତ୍ତି ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ। ପତ୍ର ବିନିମୟର ବିବରଣୀ ଦେଇ ମାମଲାର ମୂଳ ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା ନ କରିବା ପାଇଁ ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ନିଷ୍ପତ୍ତି ନେବାକୁ ଦଣ୍ଡ ସମୀକ୍ଷା ବୋର୍ଡ ହେଉଛି ସମ୍ପୃକ୍ତ ସଂସ୍ଥା। ତେଣୁ ବୋର୍ଡ କ’ଣ ନିଷ୍ପତ୍ତି ନେଇଛି, ତାହା ଜାଣିବା ଆବଶ୍ୟକ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ ତାରିଖରେ ହେବ। ସେହି ସମୟ ମଧ୍ୟରେ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେଇ ତାହା ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।