ରାକ୍ଷୀ ପୂର୍ବରୁ ଅପମିଶ୍ରିତ ଛେନା ଓ ପନିରକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗର ବଡ଼ ରେଡ୍। କଟକ ପରେ ଗତକାଲି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗର ଟିମ୍। ଅପମିଶ୍ରିତ ଛେନା ଓ ପନିର ବିକ୍ରି ଅଭିଯୋଗରେ ଏହି ଚଢାଉ କରାଯାଇଛି। ରବୀନ୍ଦ୍ର ମଣ୍ଡପ ନିକଟସ୍ଥ ଓମଫେଡ୍ ବୁଥ୍ରେ ମଧ୍ୟ ଚଢାଉ କରି ପନିର ଓ ଛେନାର ଯାଞ୍ଚ କରାଯାଇଥିଲା। ପରୀକ୍ଷା ବେଳେ ପନିରରେ ରାସାୟନିକ ଦ୍ରବ୍ୟ ମିଶାଯାଇଥିବା ଜଣାପଡ଼ିଛି। ଏହାସହ ୫୦ କେଜିରୁ ଅଧିକ ଅପମିଶ୍ରିତ ଛେନାକୁ ଜବତ କରି ନଷ୍ଟ କରାଯାଇଛି।
ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବ୍ରହ୍ମପୁରରେ ମଧ୍ୟ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍ ଜାରି ରହିଛି। ସହରର ବିଭିନ୍ନ ପନିର ଦୋକାନରେ ଚଢାଉ କରାଯାଇ ପନିର ଓ ଛେନାର ମାନ ଯାଞ୍ଚ କରାଯାଇଛି। ଖାସପା ସାହିସ୍ଥିତ ଏକ ଦୋକାନରେ ରେଡ୍ ବେଳେ ଛେନାରେ ଅପମିଶ୍ରଣ ଥିବା ଜଣାପଡ଼ିବା ପରେ ତାହାକୁ ନଷ୍ଟ କରାଯାଇଛି।
ଦୁଇଟି ପ୍ୟାକେଟ୍ରେ ଥିବା ଛେନା ଆୟୋଡିନ୍ ଟେଷ୍ଟରେ ଫେଲ୍ ମାରିଥିବା ଜଣାପଡ଼ିଛି। ପର୍ବପର୍ବାଣୀ ସମୟରେ ଅପମିଶ୍ରିତ ଛେନା ଓ ପନିର ବିକ୍ରି ଉପରେ ନଜର ରଖିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖାଦ୍ୟ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି।
