ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ। ଇରାନକୁ କୌଣସି ପ୍ରକାରର ସାମରିକ କିମ୍ବା ଗୋପନୀୟ ସହାୟତା ଯୋଗାଇବାକୁ ଆମେରିକା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ସ୍ପଷ୍ଟ କରିଛି। ଇରାନକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଗୁଇନ୍ଦା ତଥ୍ୟ, ଯନ୍ତ୍ରାଂଶ କିମ୍ବା ସାମରିକ ସରଞ୍ଜାମ ଯୋଗାଇବା ନେଇ ଚୀନକୁ ସତର୍କ କରାଯାଇଛି। ଚୀନରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଡେଭିଡ ପରଡ୍ୟୁ ଏନେଇ ସୂଚନା ଦେଇଛନ୍ତି। ତେବେ ଚୀନ ପକ୍ଷରୁ ଇରାନକୁ ସିଧାସଳଖ ସାମରିକ ସହାୟତା ଦିଆଯାଉଥିବା ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ। ହେଲେ ଇରାନକୁ ପରୋକ୍ଷ ଭାବେ ସହାୟତା ଯୋଗାଇ ଦିଆଯାଇପାରେ ବୋଲି ୱାଶିଂଟନ ଆଶଙ୍କା ପ୍ରକାଶ କରିଛି। ଏହି ଆଶଙ୍କାକୁ ଆଧାର କରି ଚୀନକୁ ଆମେରିକା ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।
ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ରୁଦ୍ଧଦ୍ୱାର ଆଲୋଚନା ପରେ ଆମେରିକା ପକ୍ଷରୁ ଏହି ବୟାନ ଆସିଛି। CNBCକୁ ଦେଇଥିବା ସାକ୍ଷାତକାରରେ ଡେଭିଡ ପରଡ୍ୟୁ କହିଛନ୍ତି ଯେ, ଇରାନକୁ କୌଣସି ପ୍ରକାରର ସାମରିକ କିମ୍ବା ଗୁପ୍ତ ସହାୟତା ନ ଦେବାକୁ ଚୀନକୁ ପୂର୍ବରୁ ହିଁ ସତର୍କ କରାଯାଇଛି। ସେ ଆହୁରି କହିଛନ୍ତି, ଯଦି ଚୀନ ପକ୍ଷରୁ ଇରାନକୁ ଏଭଳି କୌଣସି ସହାୟତା ଦିଆଯାଏ, ତେବେ ଏହା ଆମେରିକା-ଚୀନ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ।
ଅନ୍ୟପକ୍ଷରେ, ଇରାନ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବା ଉଚିତ ନୁହେଁ ବୋଲି ଉଭୟ ନେତା ଏକମତ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି। ଏଥିସହ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଖୋଲା ରହିବା ଆବଶ୍ୟକ ବୋଲି ମଧ୍ୟ ଆଲୋଚନା ହୋଇଛି। ଦୁଇ ମହାଶକ୍ତି ମଧ୍ୟରେ ଅନେକ ପ୍ରସଙ୍ଗରେ ମତଭେଦ ରହିଥିଲେ ମଧ୍ୟ, ଇରାନ ପ୍ରସଙ୍ଗରେ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଖୋଲାଖୋଲି ଆଲୋଚନା ହୋଇଥିବା ଜଣାପଡ଼ିଛି। ସି ଜିନପିଙ୍ଗଙ୍କ ତିନି ଦିନିଆ ଆମେରିକା ଗସ୍ତ ସମୟରେ କେବଳ ଇରାନ ପ୍ରସଙ୍ଗ ନୁହେଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବାଣିଜ୍ୟ, ତାଇୱାନ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଭଳି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି।
