ଏସିଆନ୍ ଗେମ୍ସରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ। ଜାପାନରେ ଅନୁଷ୍ଠିତ ହକି ସେମିଫାଇନାଲରେ ଭାରତ ୪-୩ ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଭାରତ ୩-୦ରେ ଆଗୁଆ ଥିଲା। ଅଧିନାୟକ ହରମନପ୍ରୀତ ସିଂହ ୫ମ ଓ ୧୩ତମ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିଲେ। ୨୩ତମ ମିନିଟ୍ରେ ସୁଖଜିତ ସିଂହ ଭାରତର ତୃତୀୟ ଗୋଲ୍ କରିଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଜୋରଦାର କମ୍ବ୍ୟାକ୍ କରିଥିଲା ପାକିସ୍ତାନ। ଅବୁ ମହମୁଦ ୩୦ତମ ମିନିଟ୍ରେ ଗୋଲ୍ କରିଥିବା ବେଳେ ହନାନ ଶାହିଦ ୪୫ତମ ଏବଂ ୱାହିଦ ରାନା ୪୯ତମ ମିନିଟ୍ରେ ଗୋଲ୍ କରି ସ୍କୋର୍କୁ ୩-୩ କରିଦେଇଥିଲେ। ମ୍ୟାଚ୍ ଶୁଟ୍ଆଉଟ୍କୁ ଯିବ ବୋଲି ଲାଗୁଥିବା ବେଳେ ଶେଷ ମୁହୂର୍ତ୍ତରେ ଅଭିଷେକ ଭାରତ ପାଇଁ ନିର୍ଣ୍ଣାୟକ ଗୋଲ୍ କରିଥିଲେ। ମ୍ୟାଚ୍ ଶେଷ ହେବାକୁ ମାତ୍ର ୪୫ ସେକେଣ୍ଡ ବାକି ଥିବା ବେଳେ ତାଙ୍କ ଶଟ୍ ପାକିସ୍ତାନ ଡିଫେଣ୍ଡରଙ୍କ ଷ୍ଟିକ୍ରେ ବାଜି ଗୋଲ୍ ହୋଇଥିଲା। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଫାଇନାଲରେ ପହଞ୍ଚିଛି। ଏବେ ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରୁ ବିଜେତା ଦଳକୁ ଭେଟିବ।
