Odia News Portal

କେବେ ଶେଷ ହେବ ମଙ୍ଗଳା ପୀଠ ଉନ୍ନୟନ ମୂଳକ କାମ ?

ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଅବସ୍ଥିତ ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା। ଯିଏ ମହାପ୍ରଭୁଙ୍କ ଦାରୁ ଖୋଜି ଦେଇଥିଲେ, ସେହି ଜଗତ ମଙ୍ଗଳକାରିଣୀ ମା’ଙ୍କ ମନ୍ଦିର ଙ୍କ ପୀଠ ଉର୍ନ୍ନତି କରଣ ଏବେ ଅଧାରେ। ଆଉ ମାତ୍ର କିଛି ଦିନ ପରେ ଅକ୍ଟୋବର ପ୍ରଥମ ସପ୍ତାହରୁ ମା”ଙ୍କ ପ୍ରସିଦ୍ଧ ଷୋଡଶ ଉପଚାର ପୂଜା ଓ ଶାରଦୀୟ ନବରାତ୍ର ଆରମ୍ଭ ହେବ। ହେଲେ ୨୦୨୩ରେ ଆରମ୍ଭ ହୋଇଥିବା ମନ୍ଦିର ବିକାଶ ପ୍ରକଳ୍ପ ୩ ବର୍ଷ ପରେ ବି ସରୁନି। ପୂର୍ବ ସରକାର ୧୦କୋଟି ଦେଇଥିଲେ, ନୂଆ ସରକାର ଲୋକସେବା ଭବନରେ ବସି ରିଭ୍ୟୁ କଲେ, ହେଲେ ତଳେ OBCC ର ମନ୍ଥର ଓ ନିମ୍ନମାନର କାମ ଜାରି। ୨୦୨୩ରେ ପୂର୍ବ ସରକାର 5T ସଚିବଙ୍କ ଅନୁମୋଦନରେ କାକଟପୁର ବାସିନୀ ମା “ମଙ୍ଗଳା ପୀଠର କଳେବର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରି OBCC କୁ ଦାୟିତ୍ୱ ଦେଇଥିଲେ। ନୂଆ ସରକାର ଆସିବା ପରେ ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗ ପ୍ଲାନ ରିଭ୍ୟୁ କଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ୪ଅଗଷ୍ଟ ୨୦୨୬ରେ OBCC MD ଅନୁପମ ଶାହା ଲୋକସେବା ଭବନରେ ବୈଠକ କଲେ।ସେପ୍ଟେମ୍ବର ସୁଦ୍ଧା ନିର୍ଦେଶ ଦେଇଥିଲେ OBCC କୁ। ନିର୍ମାଣକାରୀ ସଂସ୍ଥା  OBCC କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସେବାୟତ

କୋଟି କୋଟି ଟଙ୍କାର ବିକାଶ କାମ କେମିତି ନିମ୍ନମାନର ହୋଇଛି। ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ପୂର୍ବ-ଉତ୍ତର ଗୁମୁଟରୁ ବର୍ଷା ପାଣି ସିଧା ଝରୁଛି। ଛାତର ପୁରୁଣା କାଠ ବିମ୍ ସଢି ଗଲାଣି, ଲୁହା ରଡ୍ ବାହାରି ପଡିଲାଣି। ମରାମତି ନାଁରେ କେବଳ ଲିପା ପୋଛା। ନୂଆ ରୋଷଘରରେ ଆଜି ଯାଏ ଚିମିନି ଲାଗିନି। ଷୋଡଶ ପୂଜାରେ ଭକ୍ତଙ୍କ ମାନସିକ ଭୋଗ ପ୍ରସ୍ତୁତ ହେଉଥିବା ଜାଗାରେ ବର୍ଷା ପାଣି ପଶୁଛି। ଧୂଆଁ ବାହାରୁନି, ପୂଜାରୀ କାନ୍ଦୁଛନ୍ତି। ମନ୍ଦିର ପରିସରରେ ଖଣ୍ଡାଲାଇଟ ପଥର ବିଛାଇବା ନାଁରେ ନିମ୍ନମାନର ପଥର। ଅଳ୍ପ ଦିନରେ ପଥର ଫାଟିଲାଣି, ଜଏଣ୍ଟରୁ ଘାସ ଗଜା ହେଲାଣି।

ଭୋଗ ଦୋକାନ ଏଯାଏ ଟିଣ ଚାଦର ତଳେ ଚାଲିଛି। ପାର୍କିଂ ସ୍ଥଳୀ କଚ୍ଚା, ଜଳ ନିଷ୍କାସନ ନାହିଁ। ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି। ସେବାୟତ ଭବନ ଅଧପନ୍ତରିଆ। ଇଟା ଗଦା, ସିମେଣ୍ଟ ବସ୍ତା ପଡିଛି,ରାସ୍ତାରେ ବାଲି ଗଦା ହୋଇଛି । ଯାତ୍ରୀନିବାସ ଓ ଚନ୍ଦନ ଘାଟ କେବଳ କାଗଜରେ ଆଧୁନିକୀକରଣ ହୋଇଛି। ବିଜେସ୍ଥଳୀର ସୌନ୍ଦର୍ଯ୍ୟକରଣ ନାଁରେ ନିମ୍ନମାନର ରଙ୍ଗ। ଅଳ୍ପ ଦିନରେ ରଙ୍ଗ ଛାଡି ଗଲାଣି। ଶୌଚାଳୟରୁ ଦୁର୍ଗନ୍ଧ, ଭକ୍ତ ନାକ ବନ୍ଦ କରି ଯାଉଛନ୍ତି।

ସବୁଠୁ ବଡ ଅଭିଯୋଗ – ସାଇଟରେ କାମ ଅନୁଧ୍ୟାନ କରିବାକୁ କୌଣସି ଉଚ୍ଚସ୍ତରୀୟ ଇଞ୍ଜିନିୟର ନାହାନ୍ତି। OBCC ର ଠିକାଦାର ମନମୁଖୀ କାମ କରୁଛି। ବାରମ୍ବାର ସମୀକ୍ଷା ପରେ ବି ଲଗାମ ନାହିଁ ।ସରକାର ବଦଳିଲା, ଫାଇଲ୍ ବଦଳିଲା, ହେଲେ ମା ମଙ୍ଗଳା ମନ୍ଦିରର ଭାଗ୍ୟ ବଦଳିଲାନି। ପୂର୍ବ ସରକାରର 5T ମଡେଲକୁ ସମାଲୋଚନା କରି ଆସିଥିବା ନୂଆ ସରକାର ଏବେ ନିଜେ 5T ଠୁ ବି ମନ୍ଥର ପାଲଟିଛି। ଲୋକସେବା ଭବନରେ ଫାଇଲ୍ ଗଡୁଛି, ମନ୍ଦିର ପରିସରରେ ପାଣି ଗଡୁଛି।

ଅନ୍ୟ ପଟେ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ସନ୍ଧ୍ୟା ରେ ମଙ୍ଗଳା ମନ୍ଦିର କାମ ତଦାରଖ କରି କହିଛନ୍ତି,ଷୋଡଶ ଉପଚାର ପୂଜା ପୂର୍ବରୁ ସାରିବାର ଥିଲା, କିନ୍ତୁ ବିଳମ୍ବ ହୋଇଛି ଖୁବ ଶୀଘ୍ର ସରିବ,ଯଦି ଷୋଡଶ ଉପଚାର ପୂଜା ପୂର୍ବରୁ ଏ କାମ ନ ସରେ, ତେବେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ନିରାଶ ମନୋଭାବ ନେଇ ଫେରିବେ। ପ୍ରସିଦ୍ଧ ମା ମଙ୍ଗଳାଙ୍କ ଶାରଦୀୟ ପୂଜାକୁ ଦିନ କେଇଟା ବାକି ଥିବା ବେଳେ ମା ମଙ୍ଗଳା ମନ୍ଦିର ପ୍ରକଳ୍ପ ଶେଷ ହେବାକୁ ନେଇ ଘୋର ଅନିଶ୍ଚିତତା ଦେଖା ଦେଇଛି। OBCC ଅଧିକାରୀଙ୍କ ପ୍ରତିକ୍ରିୟା ମିଳୁନି, ତହସିଲଦାର ଅକ୍ଟୋବର ଶେଷ କହୁଛନ୍ତି। କେବେ ମା ମଙ୍ଗଳା ମନ୍ଦିର ପୂର୍ଣ୍ଣାଙ୍ଗ ହେଉଛି? OBCC ର ନିମ୍ନମାନର କାମର ତଦନ୍ତ ହେବ କି? ତାକୁ ହିଁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି।