ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସାହସିକତା ପୁରସ୍କାର ପାଇବେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର। ବିମାନର କକ୍ପିଟ୍ ଭିତରେ ସହ-ପାଇଲଟଙ୍କ ଆକ୍ରମଣର ଶିକାର ହେବା ସତ୍ତ୍ୱେ ୧୭୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରି ଦେଖାଇଛନ୍ତି ଅସାଧାରଣ ସାହସ। ତାଙ୍କର ଏହି ବୀରତ୍ୱକୁ ସମ୍ମାନ ଜଣାଇବାକୁ ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଏହି ପୁରସ୍କାର ଘୋଷଣା କରିଛନ୍ତି। କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏକ ବଡ଼ ବିପଦ ସମୟରେ ତାଙ୍କର ଉପସ୍ଥିତ ବୁଦ୍ଧି, ସାହସ ଓ ଦକ୍ଷତା ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ଇସ୍ରାଏଲର ରାଷ୍ଟ୍ରପତି କହିଛନ୍ତି।
ସୂଚନା ଅନୁଯାୟୀ, ଫ୍ଲାଇଦୁବାଇ ବିମାନରେ ଡ୍ୟୁଟିରେ ଥିବା ସମୟରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ତାଙ୍କ ସହ-ପାଇଲଟ୍ ତଥା ଓମାନର ନାଗରିକ ହମ୍ମାମ୍ ଅଲ୍-ହମାମି କକ୍ପିଟ୍ ଭିତରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସ୍ମିତ ଗୁରୁତର ଆହତ ହୋଇଥିଲେ। ତଥାପି ସେ ହାର ମାନି ନଥିଲେ। ଗୁରୁତର ଅବସ୍ଥାରେ ମଧ୍ୟ କକ୍ପିଟ୍ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ପରେ ବିମାନରେ ଥିବା ଇସ୍ରାଏଲୀ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ବର୍ତ୍ତମାନ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ଚିକିତ୍ସା ୟୁଏଇର ଏକ ଡାକ୍ତରଖାନାରେ ଚାଲିଛି।
ଅନ୍ୟପଟେ, ଇସ୍ରାଏଲୀ ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ, ସହ-ପାଇଲଟ୍ ହମ୍ମାମ୍ ଅଲ୍-ହମାମି ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇ ତେଲ୍ ଆଭିଭ୍ରେ ଏକ କୋଠା ସହ ବିମାନକୁ ଧକ୍କା କରାଇବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ତେବେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କ ସାହସିକ ପଦକ୍ଷେପ ଯୋଗୁଁ ଏହି ଯୋଜନା ସଫଳ ହୋଇପାରି ନଥିବା କୁହାଯାଉଛି।
କେବଳ କ୍ୟାପ୍ଟେନ୍ ସ୍ମିତ ନୁହନ୍ତି, ଏହି ଘଟଣାରେ ସାହସ ଦେଖାଇଥିବା ଅନ୍ୟ ପାଞ୍ଚ ଜଣ ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଆକ୍ରମଣକାରୀଙ୍କୁ କାବୁ କରିବା ଏବଂ ଏକ ସମ୍ଭାବ୍ୟ ବଡ଼ ଅଘଟଣକୁ ରୋକିବାରେ ସେମାନଙ୍କର ଅବଦାନ ରହିଥିଲା। ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିବା ଏହି ସାହସୀ ନାଗରିକମାନଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
ସଙ୍କଟ ସମୟରେ ସାହସ, କର୍ତ୍ତବ୍ୟନିଷ୍ଠା ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଏବେ ଚର୍ଚ୍ଚାରେ। ତାଙ୍କର ଏହି ସାହସିକ ପଦକ୍ଷେପ ୧୭୪ ଜଣଙ୍କ ଜୀବନ ରକ୍ଷା କରିବା ସହ ମାନବିକତା ଓ ବୀରତ୍ୱର ଏକ ଉଦାହରଣ ସୃଷ୍ଟି କରିଛି।
