ଆଣ୍ଡାମାନ ସାଗର ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ-ପୂର୍ବ, ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଉପରେ ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଶୁକ୍ରବାର ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୨୫ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ। ଏହା ପରେ ମଧ୍ୟ ଏହାର ତୀବ୍ରତା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସମ୍ପ୍ରସାରିତ ପୂର୍ବାନୁମାନରେ ସ୍ପଷ୍ଟ କରାଯାଇଛି। ଆହୁରି କୁହାଯାଇଛି ଯେ ଲଘୁଚାପ ସୃଷ୍ଟି ହେବା ପରେ ୨୩ ତାରିଖ ସନ୍ଧ୍ୟାରୁ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୩୫ରୁ ୪୫ କିଲୋମିଟର (କିମି) ରହିବ। ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ଝଟକା ପବନର ବେଗ ୬୫ କିମି ଏବଂ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ, ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଓ ଝଟକା ପବନର ବେଗ ୭୦ କିମି ରହିପାରେ। ଅକ୍ଟୋବର ୨୬ରୁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁପାରେ। ୨୮ ତାରିଖ ପର୍ଯ୍ୟନ୍ତ ପବନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ ସନ୍ଧ୍ୟାରୁ ୨୫ ତାରିଖ ଯାଏଁ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ୨୬ରୁ ୨୮ ତାରିଖ ଯାଏଁ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
