ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫେସର ଡା ଅଶୋକ କୁମାର ମହାପାତ୍ର ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି। ଡା ମହାପାତ୍ର ମସ୍ତିଷ୍କ କର୍କଟରେ ଆକ୍ରାନ୍ତ ଥିଲେ। ସେପ୍ଟେମ୍ବର ୨୭ତାରିଖରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା ।ସେଠାରେ ଅକ୍ଟୋବର ୫ତାରିଖରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କ୍ଷେତ୍ରରେ ତାଙ୍କର ଅବଦାନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣି ଦେଇଥିଲା। ୧୯୫୨ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିବା ଡା. ମହାପାତ୍ର ୧୯୭୦ ମସିହାରେ ଏମ୍କେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେଠାରୁ ଏମ୍ବିବିଏସ ସମ୍ପୂର୍ଣ୍ଣ କରିବା ପରେ ଏମ୍ସ, ନୂଆଦିଲ୍ଲୀରୁ ନ୍ୟୁରୋ ସର୍ଜରିରେ ଏମ୍ଏସ୍ ଓ ଏମ୍ସିଏଚ୍ କରିଥିଲେ। ୧୯୮୩ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଏମ୍ସରେ ନ୍ୟୁରୋ ସର୍ଜରିର ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ଅଶୋକ କୁମାର ମହାପାତ୍ର ଦେଶର ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ଦେଶ-ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ତାଙ୍କର ଦୀର୍ଘଦିନର ଡାକ୍ତରୀ ସେବା ଗରିବ ଲୋକଙ୍କ ପାଇଁ ସମର୍ପିତ ଥିଲା । ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ଅବଦାନ ଅତୁଳନୀୟ। ସେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ସୁଦକ୍ଷ ଚିକିତ୍ସକଙ୍କୁ ହରାଇଲା।
