Odia News Portal

ପାଣି ଉପରେ ଭାସୁଛି ରହସ୍ୟମୟ ହିନ୍ଦୁ ମନ୍ଦିର!

ଦୁନିଆରେ ଏମିତି ଏକ ମନ୍ଦିର ଅଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚାରିପଟେ ସମୁଦ୍ର ପାଣି, ମଝିରେ ଏକ ବିଶାଳ ପଥର ଉପରେ ରହିଛି ହିନ୍ଦୁ ମନ୍ଦିର। ଆଉ ସବୁଠାରୁ ରୋଚକ କଥା ହେଉଛି, ଏହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ବିଷଧର ସାପ! ଏମିତି କି ଜୁଆର ସମୟରେ ମନ୍ଦିରଟି ପାଣି ଉପରେ ଭାସୁଥିବା ପରି ଦେଖାଯାଏ। ତେବେ କେଉଁଠି ରହିଛି ଏହି ରହସ୍ୟମୟ ମନ୍ଦିର? ଆସନ୍ତୁ ଜାଣିବା।

ଚାରିଆଡେ ପାଣି ହିନ ପାଣି , ମଝିରେ ଶୋଭା ପାଉଛି ହିନ୍ଦୁ ମନ୍ଦିର ,ଆଉ ସେହି ମନ୍ଦିର କୁ ଜଗି ରହିଛନ୍ତି ବିଷଧର ସାପ।ଏହି ଅଦ୍ଭୁତ ମନ୍ଦିରର ନାଁ ହେଉଛି ତାନାହ ଲୋଟ୍ ମନ୍ଦିର। ଏହା ର ଅର୍ଥ ହେଉଛି ‘ସମୁଦ୍ରରେ ଥିବା ଭୂମି’। ଏହା ଇଣ୍ଡୋନେସିଆର ବାଲି ଦ୍ୱୀପରେ ଅବସ୍ଥିତ। ସମୁଦ୍ର କୂଳଠାରୁ ଟିକିଏ ଦୂରରେ ଏକ ବିଶାଳ ପଥର ଉପରେ ଏହି ମନ୍ଦିର ନିର୍ମାଣ ହୋଇଛି। ପ୍ରାୟ ୧୬ ଶହ ଶତାବ୍ଦୀରେ ଏହି ମନ୍ଦିରର ଇତିହାସ ଆରମ୍ଭ ହୋଇଥିଲା। ଦାଙ୍ଗ ହ୍ୟାଙ୍ଗ ନିରାର୍ଥ ନାମକ ଜଣେ ହିନ୍ଦୁ ପୂଜକ ଏହି ସ୍ଥାନର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇଥିଲେ। ପରେ ସେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଏଠାରେ ଏକ ମନ୍ଦିର ନିର୍ମାଣ କରିବାକୁ କହିଥିଲେ। ସମୁଦ୍ରର ଦେବତା ଦେୱା ବାରୁଣାଙ୍କୁ ଏଠାରେ ପୂଜା କରାଯାଏ।

ଏହି ମନ୍ଦିରର ସବୁଠାରୁ ରହସ୍ୟମୟ କଥା ହେଉଛି ଏହାର ସୁରକ୍ଷା ବ୍ୟବସ୍ଥା। ଲୋକକଥା ଅନୁସାରେ, ମନ୍ଦିର ତଳେ ଥିବା ପଥର ଗୁମ୍ଫାରେ ବିଷଧର ସମୁଦ୍ର ସାପ ରହିଛନ୍ତି। ଏହି ସାପମାନେ ମନ୍ଦିରକୁ ଅଶୁଭ ଶକ୍ତି ଓ ଅନୁପ୍ରବେଶକାରୀଙ୍କଠାରୁ ସୁରକ୍ଷା ଦିଅନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସମୁଦ୍ରରେ ଜୁଆର ଆସିଲେ ମନ୍ଦିର ଚାରିପଟେ ପାଣି ଭରିଯାଏ। ଫଳରେ ମନ୍ଦିରଟି ପାଣି ଉପରେ ଭାସୁଥିବା ପରି ଦେଖାଯାଏ। କିନ୍ତୁ ଭାଟି ସମୟରେ ଲୋକେ ଚାଲି ଚାଲି ମନ୍ଦିର ଥିବା ପଥର ପାଖକୁ ଯାଇପାରନ୍ତି।

୧୯୮୦ ମସିହାରେ ସମୁଦ୍ର ଢେଉ ଓ ପ୍ରାକୃତିକ କ୍ଷୟରୁ ମନ୍ଦିରକୁ ବଞ୍ଚାଇବା ପାଇଁ ବଡ଼ ମରାମତି କାମ କରାଯାଇଥିଲା।   ଆଜି ଏହି ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ବାଲି ଦ୍ୱୀପର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି। ବିଶେଷ କରି ସୂର୍ଯ୍ୟାସ୍ତ ସମୟରେ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସମୁଦ୍ର ମଝିରେ ଥିବା ଏହି ମନ୍ଦିରର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ, ଏହାକୁ ନେଇ ଥିବା ଲୋକକଥା ମଧ୍ୟ ସେତିକି ରହସ୍ୟମୟ। ଧାର୍ମିକ ମହତ୍ତ୍ୱ ସହିତ ଏହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୂର୍ଯ୍ୟାସ୍ତର ମନୋରମ ଦୃଶ୍ୟ ଏବଂ ରହସ୍ୟମୟ କାହାଣୀ ପାଇଁ ତାନାହ ଲଟ୍ ଆଜି ସାରା ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି।