Odia News Portal

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍

ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ । ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ଓ କଟକରେ ୨ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଓ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଟକ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାରର ଲୋକାର୍ପଣ କରିବେ ।

ଉପରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଜାରି ଗସ୍ତସୂଚୀ ଅନୁସାରେ, ସୋମବାର ସକାଳ ୬ଟା ୫୦ ମିନିଟ୍ ରେ ଉପରାଷ୍ଟ୍ରପତି ଦିଲ୍ଲୀସ୍ଥିତ ଉପରାଷ୍ଟ୍ରପତି ଭବନରୁ ବାହାରିବେ । ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ସକାଳ ୯ଟା ୧୫ ମିନିଟ୍ ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ମେଫେୟାର ସାଙ୍କଚୁଆରୀ କନଭେନସନ୍ ହଲ୍ କୁ ଯିବେ।ସକାଳ ୧୦ଟାରେ ବିଧାୟକମାନଙ୍କ ପ୍ରଶିକ୍ଷଣ ଓ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉପରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିବେ ।

ଏହି ଅବସରରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ଉଦ୍ ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଉପରାଷ୍ଟ୍ରପତି ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିବେ। ସକାଳ ୧୧ଟା ୧୫ ମିନିଟ୍ ସୁଦ୍ଧା କାର୍ଯ୍ୟକ୍ରମ ଶେଷ ହେବାର ସୂଚୀ ରହିଛି ।

କାର୍ଯ୍ୟକ୍ରମ ପାଇଁ କଡ଼ା ପ୍ରୋଟୋକଲ୍ ରହିଛି। ଭୁବନେଶ୍ୱର କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି ସଡ଼କ ପଥରେ କଟକ ଜିଲ୍ଲାର ବିଦ୍ୟାଧରପୁର ଆରିଲୋସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟକୁ ଯିବେ। ମଧ୍ୟାହ୍ନ ୧୨ଟାରେ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାର ବା ଏକାଡେମିକ୍ ଭବନର ଉଦ୍ ଘାଟନ କରିବେ । ଅପରାହ୍ଣ ୧ଟା ସୁଦ୍ଧା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଶେଷ ହେବ । ଏହାପରେ ଉପରାଷ୍ଟ୍ରପତି ଭୁବନେଶ୍ୱର ଫେରି ଅପରାହ୍ଣ ୨ଟା ୫ ମିନିଟ୍ ରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।