କଟକ: ଐତିହାସିକ ବାଲିଯାତ୍ରାକୁ ସବୁ ବର୍ଷ ପରି ଏଥର ବି ହଜାର ହଜାର ଲୋକଙ୍କ ସମାଗମ ହେବ। ଭିଡ଼କୁ ନିୟନ୍ତ୍ରଣ କରିବା ଓ ସହରର ଟ୍ରାଫିକ୍ ବ୍ୟବସ୍ଥା ସୁଚାରୁ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ରୁଟ୍ ଡାଇଭର୍ସନ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯାତ୍ରା ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ କମିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଓ ଖାନନଗର ରିଙ୍ଗ୍ ରୋଡ୍ ପଟୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ପାଇଁ ସିଡିଏ-୧୧ ଛକ ଦେଇ ଚହଟା ଛକ ନିକଟ ପାର୍କିଂରେ ଗାଡ଼ି ରଖିବାକୁ ହେବ। ଏଠାରୁ ଯାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ଯାନରେ ମେଳା ପଡ଼ିଆକୁ ନିଆଯିବ। ଏହି ରୁଟ୍ରେ ଆସୁଥିବା ଲୋକମାନେ ବେଲିଭିଉ, ସତୀଚୌରା, ସେଲ୍ଟର ଛକ ଓ କନିକା ଛକ ଦେଇ ସିଧାସଳଖ ମେଳାକୁ ଯାଇପାରିବେ ନାହିଁ।

ଆଠଗଡ଼ ଓ ବାଙ୍କୀ ପଟୁ ଆସୁଥିବା ଗାଡ଼ି ନରାଜ ଓ ମଧୁସୂଦନ ସେତୁ ଦେଇ ଆସି ଚହଟା ଛକ, ଗୋରାକବର ପଡ଼ିଆ କିମ୍ବା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିପାରିବେ। ସେହିପରି ସତୀଚୌରା ଦିଗରୁ ଆସୁଥିବା ଦୁଇଚକିଆ ଯାନ ସେଲ୍ଟର ଓ କନିକା ଛକ ଦେଇ ଦୟାଶ୍ରମ ସମ୍ମୁଖ ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ସାମ୍ନାରେ ଗାଡ଼ି ରଖିପାରିବେ।ଅନ୍ୟପଟେ ଚଣ୍ଡୀ ଛକରୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି କେମ୍ବ୍ରିଜ୍ ସ୍କୁଲ ଆଗକୁ ଯିବାକୁ ଅନୁମତି ନାହିଁ। ଏହି ଗାଡ଼ିଗୁଡ଼ିକ କନିକା ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ବା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବେ। ଦୁଇଚକିଆ ଯାନ ପାଇଁ କନଭେଣ୍ଟ ସ୍କୁଲ ଓ ପିଏଚ୍ଡି ଅଫିସ୍ ରାସ୍ତା ଦେଇ ଦୟାଶ୍ରମ ସାମ୍ନା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ରହିଛି।
ସମାଜ ଅଫିସ୍ ଛକ ଓ କଟକ ପୁଲିସ ଲାଇନ୍ ଛକରୁ ଆସୁଥିବା ଚାରି ଓ ତିନି ଚକିଆ ଯାନ ନାରୀସେବା ସଦନ ରାସ୍ତା ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ। ସେମାନଙ୍କୁ ମିଶନ ରୋଡ୍, ଚଣ୍ଡୀ ଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ବା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବାକୁ ପଡ଼ିବ। ତେବେ ଏହି ଅଞ୍ଚଳରୁ ଆସୁଥିବା ବାଇକ୍ ଓ ସ୍କୁଟର ମଧୁସୂଦନ ଛକ ଦେଇ ଉପର ବାଲିଯାତ୍ରା ପଡ଼ିଆ ଏବଂ ଫୁଡ୍କୋର୍ଟ ପଛପଟ ପାର୍କିଂରେ ରଖିପାରିବେ। ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ ଛକ ଦିଗରୁ ଆସୁଥିବା ଗାଡ଼ି ବାରବାଟୀ ଷ୍ଟାଡିୟମ୍ ପଛପଟ କିଲ୍ ଖାନା ରାସ୍ତା ଦେଇ ମେଳା ପଡ଼ିଆକୁ ଯାଇପାରିବେ ନାହିଁ। ମାତାମଠ ଓ ଯୋବ୍ରା ଛକ ପଟୁ ଆସୁଥିବା ଯାନବାହନ ପାଇଁ ବୋସ୍ ଇଞ୍ଜିନିୟରିଂ କଲେଜ ସାମ୍ନା, ମାତାମଠ ନିକଟ, ହାଡ଼ିଆପଠା, ସିଲଭର ସିଟି ବୋଟିଂ କ୍ଲବ୍ ପାଖ ଏବଂ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ରହିଛି।ତେଣୁ ବାଲିଯାତ୍ରାକୁ ଯିବା ପୂର୍ବରୁ ନିଜ ଗାଡ଼ିର ରୁଟ୍ ଓ ପାର୍କିଂ ସ୍ଥାନ ସମ୍ପର୍କରେ ଜାଣି ନିଅନ୍ତୁ, ଯାହାଦ୍ୱାରା ଭିଡ଼ ଓ ଟ୍ରାଫିକ୍ ଜାମ୍ରୁ ରକ୍ଷା ପାଇବା ସହ ଆପଣଙ୍କ ବାଲିଯାତ୍ରା ହୋଇପାରିବ ଅଧିକ ସହଜ ଓ ସୁବିଧାଜନକ।